Unknown

 

 

 

 

 

 

 

 

 

ଆତ୍ମଲିପି

କୃଷ୍ଣଚନ୍ଦ୍ର ତ୍ରିପାଠୀ

 

ଆମେ ଜଣେ

 

ତୁମେ କିଏ ମୁହିଁ କିଏ କିଏ ଏଇମାନେ ?

ଏକା ଅଙ୍ଗ ଅବୟବ ଏକା ଆଶା ପ୍ରାଣେ ।

ଏକା ଅନୁଭବ ଏକା ସୁଖ ଦୁଃଖ ପ୍ରୀତି

ଏକଇ ମାଟିରେ ଆମ ସଭିଙ୍କର ସ୍ଥିତି !

ଏକା ହସ ଫୁଟେ ଓଠେ, ଏକା ଲୁହ ଝରେ

ସଭିଏ ତ ଆମେ ଗଢ଼ା ଏକଇ ହାତରେ

ଏକଇ ଫୁଲର ଆମେ ସହସ୍ର ପାଖୁଡ଼ା

ଏକା ସୂତ୍ରେ ଗୁନ୍ଥା ଆମ ଜୀବନର ପୁଡ଼ା

ତେବେ କୁହ କିମ୍ପା ଏତେ ମୁହଁ ମୋଡ଼ାମୋଡ଼ି ?

କିପାଇଁ ରହୁନି କହ ହୃଦ ଖୋଲାଖୋଲି ?

ଆମେ ଜଣେ ସହସ୍ରର ରଚି ମଧୁ ତାନ

ପୃଥିବୀରେ ବୁଣୁଅଛେ ନବ ନବ ପ୍ରାଣ ।

ଏଥିରେ ଆମର କେତେ ଗର୍ବ ଗଉରବ ।

କିପାଇଁ ଆସୁନି ଏଇ ପୁଣ୍ୟ ଅନୁଭବ ।

Image

 

ବର ଦାନ

 

ହେ ଅନନ୍ତ । ହେ ଅସୀମ ! ଦେଇଚ ଜନମ

ତୁମରି ସୃଷ୍ଟିରେ ମତେ, ଅନନ୍ତ ବନ୍ଧନେ–

ବାନ୍ଧିଚ ଅନନ୍ତ ପ୍ରାଣେ; କେମନ୍ତେ ଜୀବନ

ଭୁଲିବ କରୁଣା ତବ ଜନମେ ଜନମେ ।

ପ୍ରତି ପୁଷ୍ପ ପ୍ରତି ଫଳ ପ୍ରତି ଗୁଳ୍ମ ଲତା

ନର, ନାରୀ, ପଶୁ ପକ୍ଷୀ, କାନନ, ଭୂଧର,

ନଦ, ନଦୀ, ନୀଳ ନଭ–ସବୁରେ ମମତା–

ଭରି ଆସେ ଚାହେଁ ମୁହିଁ ଯେତେ ଯେତେ ଥର

ସଭିଏ ସଭିଁଙ୍କ ତୁଲେ ଯୁକ୍ତ ଏକ ଖିଏ

କେ’ କାରେ ଯିବାକୁ ଛାଡ଼ି ନୁହଇ ସମ୍ମତ

କେତେ କା ଉପରେ ମାନ ଅଭିମାନ କିଏ–

କରେ ନାଇଁ ? କି ସୁନ୍ଦର ତୁମ ସୃଷ୍ଟି ପଥ !

ଏ ପଥେ ପଥିକ ମୋତେ କଲ ଭଗବାନ

ଏ ତହୁଁ ଅଧିକ କିବା ଅଛି ବରଦାନ ?

Image

 

କେହ୍ନେ ଯିବି ଫେରି ?

 

ହସ ଖେଳ ଆନନ୍ଦର ବସୁନ୍ଧରା ପରେ

ହସି ଖେଳି ଚାଲିବି ମୁଁ ସବୁରି ସଙ୍ଗରେ ।

ସଭିଏ ମୋହର ସାଥି ପ୍ରାଣ ପ୍ରିୟତମ

ଭିନ୍ନ ନୁହେ ଭିନ୍ନ ନୁହେ କେହି ଏକଜଣ !

ବକ୍ଷଭରା ସ୍ନେହରେ ସବୁରି ଅନ୍ତର–

ପରିସ୍ନାତ କରି ମୁହିଁ, ଚାଲିବି ସତ୍ୱର !

ଦେଖିବି ସବୁରି ଓଠେ ଆନନ୍ଦର ହାସ

ଦେଖିବି ଅନନ୍ତ ଆଶା ଉତ୍ସାହ ଉଚ୍ଛ୍ୱାସ

ସକଳର ବୁକୁ ତଳୁ ଉଠୁଅଛି ଫୁଟି

ତହିଁରେ ସରାଗେ ଯିବ ଏ ଜୀବନ ଛୁଟି !

ବିରାଟ ବିଶ୍ୱର ପ୍ରତି ଧୂଳିକଣା ସହ

ମୁଁ ଚାହେଁ ଜୀବନବୋଳା ପ୍ରାଣ ପରିଚୟ !!

ଚତୁର୍ଦ୍ଦିଗେ ଯେ ଅନନ୍ତ ରହିଅଛି ଘେରି

ନ ପିଇ ସବୁଠୁ ସୁଧା କେହ୍ନେ ଯିବି ଫେରି !!!

Image

 

ଡାକ

 

କେଉଁ ଦେଶ ପଥିକ ମୁଁ କେଉଁ ଦେଶେ ଯାଏ ?

ଅଲକ୍ଷ୍ୟ ମୋ ଯାତ୍ରା ପଥେ ସୁଖ ଦୁଃଖ ପାଏ !

ହସେ ଖେଳେ କାନ୍ଦେ କେହି ବୁଝେନା ତ ଆସି !

ପଥେ ପଥ ଜନ ପ୍ରାଣୀ ପ୍ରିୟ ପ୍ରତିବାସୀ

ଚାଲିଚନ୍ତି ତରତରେ କିବା ଲକ୍ଷ୍ୟ ଧରି !

ଉପରେ ଅନନ୍ତନଭ ତଳେ ଅଛି ପଡ଼ି

ସୀମାହୀନ ବସୁନ୍ଧରା, ଗିରି ବିଲ ବନ–

ନୀଳିମାରେ କରି ନିତ୍ୟ ଗଭୀର ଗାହନ !

ଯାତ୍ରୀ ମୁଁ ଚାଲିଚି ନିତ୍ୟ ଚକ୍ରବାଳ ଫେଇ

ଯେତେ ଯାଏ ସେତେ ଦୂରେ ଦୂରେ ଯାଏ ସେଇ

କିମ୍ପା ଆସିଥିଲି ଏଠି ବାହାର ଇଙ୍ଗିତେ ?

କାହାର ସୁବର୍ଣ୍ଣ ବୀଣା ମୋହନ ସଙ୍ଗୀତେ

ଯାଏ ମୁହିଁ ଦୂରେ ଦୂରେ ; କାହା ନିତ୍ୟ ଡାକେ

ଚାଲିଚି ବିଶାଳ ସୃଷ୍ଟି ମଉନେ ନିର୍ବାକେ ।।

Image

 

ଯାତ୍ରୀ ଓ ଯାତ୍ରା

 

ଆଶା ଆଉ ଆନନ୍ଦର ସୁନେଲି ସପନେ

ବଞ୍ଚି ମୁଁ ରହିଚି ଏଇ ଅନନ୍ତ ଭୁବନେ ।

ସୀମାହୀନ ବିପଦର ଯେ ଝଡ଼ ତୋଫାନ–

ତୁଲେ ମୁହିଁ କରିଅଛି ନିୟତ ସଂଗ୍ରାମ

ଚାଲିଚି ମୁଁ ବାଟ କାଟି ଲବେ ନାଇଁ ଡରି

ଦୁର୍ଦ୍ଦମ ଅଭାବ ଯେବେ ପଥେ ଅଛି ପଡ଼ି ।

ଅସୀମ ବେଦନେ ଯେବେ ଲୁହ ଅଛି ଝରି,

ଦେଇଚି ନୟନୁ ପୋଛି ମୁହିଁ ବୀର ପରି ।

ଘାତ ପ୍ରତିଘାତ ଯେବେ ଆସି ବାରବାର

କରିଅଛି ହଇରାଣ ଦେଖାଇ ଦୁର୍ବାର–

ତେଜ ମତେ, ଯାଇନି ମୁଁ ଯାଇନି ମୁଁ ଦବି

ଚାଲିଚି ମୁଁ ବୈଶାଖର କିବା ତପ୍ତ ରବି !

ଏ ମହା ବିଶ୍ୱର ପ୍ରତି ରେଣୁରନ୍ଧ୍ର ତଳେ

କି ମଧୁ ସମ୍ପଦ ମୋରେ ଆକୁଳିତ କରେ !!

Image

 

କର୍ମ ଭୂମି

 

ବିଶାଳ ଧରିତ୍ରୀ ପରେ ଦେଖ ଲୋ ସୁନ୍ଦରୀ

କେମନ୍ତେ କର୍ମର ଢେଉ ଦିବସ ଶର୍ବରୀ

ଲାଗିଅଛି ପରଂପରା । ନାଇଁ ଅବସାନ

କ୍ଷୁଦ୍ର ପିପିଲିକାଠାରୁ ମଣିଷ ମହାନ

ବଳ କଳ ବୁଦ୍ଧି ଚାଳି ଲାଗିଛନ୍ତି କାମେ

ବିଶ୍ରାମର ଭୂମି ଏହୁ ନୁହେ ହେଲେ ଧାନେ

ଆଜି ଯାରେ ଚଞ୍ଚୁପୁଟେ ଖାଦ୍ୟ କାହୁଁ ଆଣି

ବିହଗୀ ଶାବକେ ତାର ଖୁଆଏ ସେ ପୁଣି–

ଦିଗ୍‌ବଳୟ ଅରପାରେ ବୁଲି ପକ୍ଷଯାନେ

ପୂରାଏ ଆପଣା ପେଟ, ପ୍ରତି ଜୀବ ପ୍ରାଣେ

କେମନ୍ତେ ବିଧାତା ଦେଇ ସାଧନାର କଣା,

ଦେଖଇ ସୁଦୂର ଏଇ ଖେଳ ଅକଳନା

କର୍ମର ମୋହନ ଖେଳ ଚତୁର୍ଦ୍ଦିଗ ଭରି

ରଖିଚି ସୃଷ୍ଟିକୁ ନିତ୍ୟ ଉଦ୍‌ଜୀବିତ କରି !!

Image

 

ଆଉ ସ୍ଥାନ କାହିଁ ?

 

ମୋର ବଡ଼ ରାଗହୁଏ ଯେଉଁଠି ମଣିଷ

ମଣିଷକୁ ଭଲ ପାଏ ନାଇଁ ଅହର୍ନିଶ !

କି ସୁନ୍ଦର ପୃଥିବୀ ଏ ବିଲପଦା ଧରି

ଧରି ଶ୍ୟାମ ଅରଣ୍ୟାନୀ ଉନ୍ନତ ଶିଖରୀ,

ନୀଳକାନ୍ତ ଊର୍ମି ତୋଳି ନାଚଇ ସାଗର

ରବି ଶଶୀ ତାରକାରେ ଶିରେ ନୀଳାମ୍ବର

ରଚଇ ଅନନ୍ତ ମାୟା; ପୁରପଲ୍ଲି ଗ୍ରାମ

ନଗର ସହର କେତେ ଧରି ଲକ୍ଷ ପ୍ରାଣ–

ଅନନ୍ତ ଆକାଙ୍‌କ୍ଷା ଭରା, ଲୀଳା ଉଠେ କରି ।

ନିଜରୁ ନିଜର କରି ସବୁରେ ସଂଚରି

ଗାଇବାକୁ ଜୀବନର ସୀମାହୀନ ଗାନ

କାହିଁକି କୁଣ୍ଠିତ କହ ମଣିଷର ପ୍ରାଣ ?

ଛାଡ଼ିଦେଲେ ଏଇ ମାଟି ଆଉ ସ୍ଥାନ କାହିଁ ?

ପ୍ରାଣର ଇପ୍‌ସିତ ମଧୁ ପାଇବାର ପାଇଁ !

Image

 

ତ୍ୟକ୍ତ ପ୍ରାସାଦ

 

ଆସୁନି ଆସୁନି ମୋର ତିଳେ ଅବସାଦ

ଦେଖି ଜୀର୍ଣ୍ଣ ପରିତ୍ୟକ୍ତ ଏ ରାଜପ୍ରାସାଦ !

ମଣିଷର ପ୍ରାଣବୋଳା ମୋହନ ଅନ୍ତର

ନଥିଲା ନଥିଲା ଏଥି ତିଳେକ ମାତର !

ମଣିଷର ବ୍ୟଥା ଏଠି ବୁଝିବାର ପାଇଁ

କା’ ନୟନ ପ୍ରାନ୍ତୁ ଲୁହ ଝରୁବାର ନାଇଁ !

ହେବା ପାଇଁ ମଣିଷର ସଖା ବନ୍ଧୁ ସାଥି

ନିୟତ ଚିନ୍ତିତ ନାଇଁ ଥିଲା କାର ଛାତି ।

ମଣିଷର ମୁଣ୍ଡ କାଟି କାଟି ତା’ ଅନ୍ତର

ମୁଣ୍ଡ ଟେକି ଉଠିଥିଲା ଏ ସୌଧ ଶିଖର !

କେମନ୍ତେ ରହନ୍ତା ଚିର ତୀର୍ଥ ଭୂଇଁ ସମ ?

ମାଟିର ନରକ ଏ ଯେ ଭୀଷଣୁ ଭୀଷଣ !

ମଣିଷ ଲୁହର ବାଣୀ ଚାଲିଚି ଯେ ଦଳି

କେମନ୍ତେ କହିବି ତା’ଠି ପ୍ରାଣ ଅଛି ଭରି ?

Image

 

କେଉଁଠି

 

କେଉଁଠି ହସୁଚି କିଏ ନୀର୍ଭୀକର ହାସ !

କେଉଁଠି କହୁଚି କିଏ ପ୍ରାଣବୋଳା ଭାଷା !

କେଉଠିଁ ଚାଲୁଚି କିଏ ମୁଖରିତ କରି

ଆନନ୍ଦର କଳ ତାନେ ଦିବସ ଶର୍ବରୀ !

କେଉଁଠି କେ ସ୍ୱର୍ଣ୍ଣମାୟା ଦିଶି ଦିଶି ଭରି

ଅମୃତର ମଧୁଧାରା ଆଣୁଚି ଆହରି !

କେଉଁଠି କେ ଫୁଟାଉଚି ଜୀବନର ଫୁଲ

ବର୍ଣ୍ଣ ଦେଇ ଗନ୍ଧ ଦେଇ ଅମୂଲ ଅତୁଳ !

ସାଗର ଉଚ୍ଛ୍ୱାସ ପରି ରାକା ରଜନୀର

କେଉଁଠି ଜୀବନ ସ୍ରୋତ ଆକୁଳ ଅଧୀର ।

ଅନନ୍ତରେ ଅସୀମରେ ମିଶିଯିବା ପାଇଁ

ସବୁ ସ୍ୱାର୍ଥ ସବୁ କ୍ଷୁଦ୍ର, ଦୂରେ ଫିଙ୍ଗି କାହିଁ

କେଉଁଠି ଏ ସବୁ ଅଛି କହ ମତେ କହ ?

ସେ ସବୁରେ ଢଳି ହେବି ମୁଁ ଆନନ୍ଦମୟ !

Image

 

ମାନବ

 

ହେ ମାନବ ! ଚାହଁ ଥରେ ଚାହଁ ଭଲ କରି

କିଏ ତୁ ଆସିଚୁ ଧରା ପୃଷ୍ଠେ ଅବତରି

ସୀମାହୀନ ଶକ୍ତି ନେଇ ମହା ବିଧାତାର

ନିଜକୁ ପଚାର ନିଜେ କେଡ଼େ ଅଧିକାର -

ପାଇଚୁ ଏ ଧରଣୀରେ, ତୋହଠାରୁ ବଳି

ଧରାରେ ବିରାଟ କରି ସ୍ରଷ୍ଟା ନାଇଁ ଗଢ଼ି

କାହାରେ ଆପଣା ହାତେ । ତୁହି ଏ ଧରାର

ପ୍ରାଣ ଦାନୀ ରୂପ ଦାନୀ ଜୀବନ ଆଧାର ।

ସଂଗ୍ରାମର ବିଭୀଷିକା, ଶତ ରକ୍ତପାତ ।

ଶାନ୍ତି, ମୈତ୍ରୀ, ସୌଭାଗ୍ୟର ମୂଳେ ତୋର ହାତ

ଯାଦୁକର ଯଷ୍ଟିସମ ଯେହ୍ନେ କାମ କରେ !

ଧରଣୀର ଭାଗ୍ୟ ଡୋରି ତୋହରି ହାତରେ

ବନ୍ଧା ନି କି ? ଏ ଧରିତ୍ରୀ ରହିଅଛି ଚାହିଁ

ସତତ ତୋ ଶୁଭ ଦୃଷ୍ଟି ପାଇବାର ପାଇଁ ।।

Image

 

ମାଗେ

 

ବକ୍ଷ ଭରି ଦେବି ମୁହିଁ ସୁଧା ଆଲିଙ୍ଗନ

ଆସ ଆସ ନିଖିଳର ଅନନ୍ତ ଜୀବନ !

ଆସ ଦୀନ ! ଆସ ଦୁଃଖୀ ! ନିରନ୍ନ କାଙ୍ଗାଳ !

ଆସ ହତଭାଗା ! ଆସ ରୁଗ୍‌ଣ ପ୍ରତିଭାର

ହତାଶ ପଥିକ ତୁମେ ! ଆସ ପଥ ଭ୍ରାନ୍ତ–

ଅତ୍ୟାଚାରୀ, ଅନାଚାରୀ ଦୁର୍ଦ୍ଧଷ ଦୁର୍ଦ୍ଦାନ୍ତ ।

ଆସ ପଙ୍ଗୁ ପଦାନତ । ଆସ ବିଲ ବନ ।

ନଦୀ ସିନ୍ଧୁ ଶୈଳ ଶିଖ ସଂକଟ ବିଷମ !

ଆସ ଶୁଦ୍ଧ ନୀଳାମ୍ବର ଚିର ପ୍ରସାରିତ !

ଆସ କୀଟ ! ପତଙ୍ଗମ ! କ୍ଷୁଧିତ ତୃଷିତ ।

ଆସ ହେ ଅନନ୍ତ ବିଶ୍ୱ–ତୁମ ସମସ୍ତର–

ଭିତରେ ରହିଚି ନିଶ୍ଚେ ଜୀବନ ନିର୍ଝର ।

ତା’ରି କଳତାନ ମୁହିଁ ମାଗେ ଖାଲି ମାଗେ

ଚାଲିବାକୁ ତୁମ ମେଳେ ଅନନ୍ତ ସରାଗେ !!!

Image

 

ସ୍ୱପ୍ନିଳ ମାଟି

 

କିଏ କାହା କୁଟୀରର ଆଦରର ଧନ

ଯାଉଚ ଏ ପଥେ ଘାଟେ ଦେଖୁଚି ତୁମରେ

କାହା ବୁକୁ ତଳେ କିଏ ବନ୍ଧା ଚିରନ୍ତନ

ଫୁଟିଚ କି ଭଳି କିଏ ଏ ମାଟି ଉପରେ !

କାହା ପାଖେ କେତେ ଶିରୀ ବଇଭବ ନାଇଁ ?

ଚାଲିଚ ଫୁଟାଇ ସହି ଉତ୍‌ଥାନ ପତନ

ହତାଶେ କିଏ ବା ଶୂନ୍ୟେ ରହିଅଛି ଚାହିଁ

ସମ୍ମୁଖେ ବିଲୋକି ଶତ ବାଧା ଓ ବନ୍ଧନ !

କା ନେତ୍ର ଦୁର୍ଲଭ ଲୁହ କିଏ ପୋଛି ଦେଇ

ସାନ୍ତ୍ୱନାର ମଧୁମାୟା ଦେଉଚରେ ବୋଳି

ଅତ୍ୟାଚାର କରେ ଯେବେ ଅତ୍ୟାଚାରୀ କେହି

ଠିଆହୁଅ ବିପ୍ଳବର ଜୟଭେରୀ ତୋଳି ।

ତୁମ ଆଶା କଳ୍ପନାରେ ସ୍ୱପ୍ନିଳ ଏ ମାଟି

କେତେ ସ୍ୱପ୍ନ ରଖିନାଇଁ ଭରି ତାର ଛାତି !

Image

 

ରହରେ ଜୀବନ !

 

ପତ୍ରେ ପତ୍ରେ ଖେଳିନାଇଁ ଶ୍ୟାମଳ ମାଧୁରୀ

ଫୁଲରୁ ଫୁଲକୁ ଅଳି ଆସିନାଇଁ ବୁଲି ।

ପଲ୍ଲବ ଚହଳେ କେଉଁ ବିଜନ ବିପିନେ

କୋଇଲି ତା’ କୁହୁତାନ ମେଲିନାଇଁ ଦିନେ ।

ଦିଗନ୍ତ ମାଧୁରୀ ଘେନି ଆସିନି ସମୟ

ବହିନାଇଁ ମୃଦୁମନ୍ଦେ ମନ୍ଦିର ମଳୟ

ଟପ ଟପ ଶ୍ୟାମ ଘାସେ ପଡ଼ିନି କାକର

ଝରଣାଟି ବଣବୁଦା ତଳେ ଝର ଝର–

ଗୀତଟି ନୀରବେ ଗାଇ ଯାଇନାଇଁ ବହି

କେଉଁ ଶିଳା ତଳେ ତଳେ ଲବେ ରହି ରହି !

ହଳଦୀ ବସନ୍ତ ବୁଲି ତରୁ ଶାଖା ପରେ

ହେମକାନ୍ତ ଶୋହା ନାଇଁ ଖେଳାଏ ନିଶ୍ଚଳେ !

ଆସିବ ଆସିବ ଦିନେ ରହରେ ଜୀବନ !

ଫୁଟିବ ତୋ ହୃଦୟର ମଧୁର ସପନ !

Image

 

ରହିଲି

 

ରହିଲା ଏ ବୁକୁ ତଳେ ବୁକୁତଳ ବ୍ୟଥା

ଚାଲିଗଲ ! ଚାଲିଗଲ ! କହିଲ ନି କଥା

ପଦେ ହେଲେ । ଏତେ କିମ୍ପା ନିଷ୍ଠୁର ନିର୍ମମ

ଦେଲନାହିଁ ମାଗୁଥିଲି ମୁହିଁ ଅକିଞ୍ଚନ

ହାତ ପାତି ଜୀବନର ଯେ ଟିକକ ଲୋଡ଼ା

ଚାହିଁଲ ନି ଲବେ ହେଲେ ଢାଳି ନେତ୍ର ଡୋଳ

ବୁଝିଲ ନି ମୋ ଭିତରେ କିଏ କାଳ କାଳ

କାନ୍ଦୁଅଛି ଢାଳି ସୀମାହୀନ ଲୁହ ଧାର !

ମୁଁ ରହିଲି ଚିର ଦିନ ଲୋତକ ଆପ୍ଳୁତ !

ମୁଁ ରହିଲି ଚିର ଦିନ ହୋଇ କି ବିଚ୍ୟୁତ !

ମୁଁ ରହିଲି ଚିର ଦିନ ଏକା ଏକା ଖାଲି !

ମୁଁ ରହିଲି ତୁମେ ଗଲ ଦୁରେ ଦୂରେ ଚାଲି !

ମୁଁ ରହିଲି ଚିର ଦିନ ଏଠି ହାତ ପାତି

ମୁଁ ରହିଲି ଚିର ଦିନ ଖୋଲି ମୋର ଛାତି !

Image

 

ଆତିଥ୍ୟ

 

ଦୂର ମଫସଲ ଗାଆଁ, ଗୋଟିଏ ଆତ୍ମୀୟା

ଦେଖି ମୋରେ ପୂରିଗଲା ତା ଦରିଦ୍ର ହିୟା ।

କୁଟୀରେ ନଥିଲା କିଛି, ଚରଚା କି ଭଳି -

କରିବ ବିଚାରି ମନେ, ସ୍ନେହାଦର ଭରି -

ମର୍ମ ତଳୁ, ଆଣିଲା ସେ ପକ୍ୱ ଫଳଟିଏ

ଆଦରେ ବାଢ଼ିଲା ମୋରେ ; କିଛି ନାଇଁଟି ଦେ

ଦେବାକୁ ଦରିଦ୍ର ବାସେ, ଯାଇଚି ସେ କାଳ

ଯେବେ ସବୁ ଥିଲା ମୋର । ଅଶ୍ରୁ ଦୁଇ ଧାର

ନେତ୍ର ପ୍ରାନ୍ତୁ ଢାଳି କେହ୍ନେ ଠିଆହେଲା ପାଶେ ?

ତାର ସେଇ ପ୍ରାଣ ବୋଳା ଆତିଥ୍ୟେ, ସହାସେ–

କହିଲି ‘‘ଜନନୀ ମୋର କିମ୍ପା ଦୁଃଖ କର ?

ମୋହ ପାଇଁ ରଖିଥାଅ ଏ ସୁଧା ଅନ୍ତର !

ତୁମ ଏଇ ସେନେହର ଲୁହରେ ଲୁହରେ

ମତେ ଦିଅ ଓଦାକରି ଏ ମାଟି ଉପରେ’’ ।

Image

 

ଦୂର କିନ୍ତୁ ନୁହଁ

 

ଶିଶୁଟି ଚାହିଁ ଚାହିଁ ଚାଲିଯାଏ ମୋରେ

ସୀମାହୀନ ସେନେହର କି ମୋହନ ଡୋରେ

ମୋତେ ସେ ରଖିଚି ବାନ୍ଧି ! ପୁଣି ଚାହିଁ ଦିଏ

ମୋହଠୁ ସେ ଜୀବନର କିବା ମିଠା ପିଏ !

ତଥାପି କାନ୍ଦୁଚି ଚାହିଁ ; ତଥାପି ସେ ଲୋଡ଼େ

ଚିର ଦିନ ରହିଥିବ ମୋ ଦରିଦ୍ର କୋଳେ !

ଲୁହ ନେତ୍ରେ ଚାହିଁଚି ମୁଁ ତାରେ ଖଣ୍ଡ ଦୂରେ

ପଛକୁ ପଛକୁ ଚାହିଁ ତା’ କୁଟୀର ପୁରେ

ଫେରିଯାଏ କାହା ତୁଲେ । ଚାହେଁ ମୋତେ ଚାହେଁ

ମୋ ଭିତରୁ ସ୍ୱର୍ଗର କି ମଧୁ ସ୍ପର୍ଶ ପାଏ !

ତା’ ଆଖିରେ ଲୁହ ପୁଣି ଲୁହ ମୋ ଆଖିରେ

ବେନିଙ୍କ ଅନ୍ତର ଯାଏ ବେନିଙ୍କି ଡାକିରେ

ସିଏ ଦୂରେ ମୁହିଁ ଦୂରେ । ଦୂର କିନ୍ତୁ ନୁହ

କଣ୍ଠର ଆକୁଳ ଭାଷା ନୟନର ଲୁହ ।

Image

 

ପଦେ କଥା

 

ତୁମେ ଭିନ୍ନ ମୁହିଁ ଭିନ୍ନ ପଦେକ କଥାରେ

ଆଉନାହିଁ ଦେଖା ଦେଖି ମୁହଁ ଚୁହାଁ ଚୁହିଁ

ପଥପ୍ରାନ୍ତେ ଦେଖା ହେଲେ ଆଡ଼ ହୋଇଯାଏଁ

ସାତ ଶତ୍ରୁ ବଳି ଯେହ୍ନେ ଏ ଧରାରେ ଥାଏଁ ।

ମୋ ଅନ୍ତର ସୁଖ ଦୁଃଖ ଗର୍ବ ଗଉରବ,

ତୁମର ଯା ଭଲ ମନ୍ଦ ସାର ବା ଅସାର,

କରେ ନାଇଁ ରେଖାପାତ ତୁମ ମୋ ଭିତରେ

କେଡ଼େ ହତଭାଗା ହୋଇ ରହିଚେ ସତରେ !

କି ମହା ସମୁଦ୍ର ସତେ ପାଏନାଇଁ ଆଖି !

ଆର ପାରେ ତୁମେ ଆଉ ଏଇ ପାରେ ମୁହିଁ

କେହି ତ କାହାକୁ ଲବେ ପାରୁନାହେଁ ବୁଝି

ପଦେ କଥା କେତେ କଣ ଯାଇପାରେ ସୃଜି !

ପଦେ କଥା ନୁହେ ହୀନ ନୁହେ ଅକାରଣ

ପଦେକ କଥାରେ ବିଶ୍ୱେ ଜୀବନ ମରଣ !

Image

 

ନମସ୍କାର

 

ପ୍ରାଣର ଅନନ୍ତ ମାୟା ଅଯାଚିତେ ଭରି

କେ ମୋରେ ଆଣିଚ ଚଢ଼ି ଦିନ ଦିନ ଧରି

କାହାରେ ଦେଖିଚି ଅବା କାରେ ଦେଖିନାଇଁ

ସଭିଏ ମୋ ଆପଣାର ଯୁଗ ଯୁଗ ପାଇଁ !

ପଡ଼ିଗଲେ ଉଠାଇଚ, ଉଠିଲେ ମୁଁ ତିଳେ

ଲଭିଚ ଅନ୍ତରେ କେତେ ଗର୍ବ ଗଉରବ !

ବିପଦ ଭିତରେ ଯେବେ ପଡ଼ିଚି ମୁଁ ଲଇଁ

ଦେଇଚ କି ଉନ୍ମାଦନା କେତେ ଦୟା ବହି ।

ଏ ଶୋଣିତ ପ୍ରତିବିନ୍ଦୁ ଭିତରେ ତୁମରି

ଦୟା, ଦାନ, ଆଶିର୍ବାଦ ନିତ୍ୟ ଲୀଳାୟିତ !

କିଏ ସେ କେଉଁଠି ଅଛ ଏତେ ଆପଣାର ।

ତୁମ ଯୋଗୁଁ ଚାଲେ ପଥ ହୋଇ ଆଗୁସାର

କି ସମ୍ପଦ ଅଛି ମୋର ତୁମକୁ ଦେବାର

ପ୍ରତି ପଦପାତେ ଚାଲେ କରି ନମସ୍କାର !

Image

 

ସେଇ ହାତ ଅଣେ

 

ତରୁଣ ବୟସେ ଯେବେ ପଢ଼ିବାର ପାଇଁ

ସୁଦୂର ବିଦେଶେ ଯାଏ କେତେ ଥର କାହିଁ

ଜନନୀରେ ଚାହିଁ ମୋର କରେ ନମସ୍କାର

ଦିଅନ୍ତି ଆଶୀଷ ସେହୁ ଶିରେ ବାରବାର–

ଲଗାଇ ତାଙ୍କର ହାତ । କହନ୍ତି ସେ ବାଣୀ

‘‘ଦେଖି ଚାହିଁ ଚଳୁଥିବୁ ବିଦେଶର ପାଣି–

ପବନ ଯିବନି ଦେହେ । ବାଟେ ଗଲାବେଳେ

କାଳେଁ ଭୋକ ହେବ ଏଇ ଅଣେ ନେଏ ହେଲେ

ଭୁଜା କିଣି ଖାଇବୁରେ ପାଣି ମନ୍ଦେ ପିଇ

ଚାଲିବୁ ବାଧିବ ନାଇଁ ।’’ ଏମନ୍ତେ ସେ କହି

ଦିଅନ୍ତି ପଇସା ଅଣେ କାନିରୁ ଫିଟାଇ

ମୋ ଦରିଦ୍ର ଜନନୀର ସେଇ ଦାନ ପାଇ

କେତେ କୃତ କୃତ୍ୟ ହୁଏ । ସେଇ ହାତ ଅଣେ

ଏବେ କିଏ ଦେବ ଯେବେ ଭ୍ରମେ ତ୍ରିଭୁବନେ ?

Image

 

ଯାତ୍ରା ପଥେ

 

ଚାଲିଚି ମୁଁ ପଥଧାରେ ଖୋଜି ଖୋଜି କାରେ

ସିକ୍ତ ମୋ ନୟନ ପତା ଉଷ୍ମ ଲୁହ ଧାରେ ।

ମୋ ଭିତରେ ରହିଅଛି ଯେଉଁ ପ୍ରାଣ ପକ୍ଷୀ

ଝୁରି ସେ ହେଉଚି ତାର ଜୀବନର ସଖୀ ।

ପାଇବାକୁ ଦେଖିବାକୁ କହିବାକୁ କଥା

ଲଭିବାକୁ ତା ଅମୃତ ସେନେହ ମମତା ।

କେତେ ଦୂର ଗଲେ ତାରେ ପାଇବାକୁ ହବ

କେତେ ସାଧନାର ପରେ ମିଳିବା ସମ୍ଭବ ।

ତା’ ଅନ୍ତର ମଧୁଟିକ କହ ପଥ ଧାର–

ଦୁବଘାସ ଗଛପତ୍ର ବଣ ବିଲ ମାଳ ।

ଆକାଶ ବତାଶ କହ କହ ମେଘମାଳ

ବୃଥା ମୋ ଅନ୍ୱେଷ ଅବା ଫଳ ଅଛି ତାର ।

ଶତ ସୁଖ-ଦୁଃଖ ଆଶା ନିଆଶା ଭିତରେ

ତା’ ବନ୍ଧନ ମୋରେ କିମ୍ପା ଆକୁଳିତ କରେ ।

Image

 

ଦିନେ

 

ଜୀବନର ଯାତ୍ରା ପଥେ କେତେ ବାଧା ଆସେ

କେତେ ବେଦନାରେ ନେତ୍ର ଲୁହ ନୀରେ ଭାସେ !

ସବୁ ବାଧା ବିପଦର ନିଦାରୁଣ କ୍ଷତ

ବକ୍ଷେ ବହି ଚାଲିଚି ମୁଁ ଏଥି ଅବିରତ;

ଗୋଟି ଗୋଟି କହିବାକୁ ଇଚ୍ଛା ହୁଏ ମମ

ତୁମରି ସମ୍ମୁଖେ ଯାଇ, ଯେବେ ଏ ମରମ

ଯେତେ ଥର ଯାଇ ଅଛି ନିଦାରୁଣେ କଟି

ବୁଝିବ ବୁଝିବ ତମେ ଯେତେ ଯାହା କ୍ଷତି !

ଅନ୍ତରେ ଅନ୍ତର ଢାଳି ଆପଣାର କରି

ଏ ମହା ବିଶ୍ୱାସେ ମୁହିଁ ଦିନ ଦିନ ଧରି

ଚାଲିଚି ଧରାରେ ସହି ମାନ ଅପମାନ

ସୀମାହୀନ ପଦାଘାତ ଶତ ବଜ୍ରବାଣ ।

ଦିନେ ପୋଛି ଦେବ ମୋର ତପ୍ତ ଲୁହ ଧାର

ସେଇ ମୋର ସୀମାହୀନ ମୋହନ ସମ୍ଭାର !

Image

 

ଶେଷ ଶଯ୍ୟା -

 

ଏଇ ତୋର ଶେଷ ଶଯ୍ୟା ? ଡୋର ଛିନ୍ନ କରି

କେଉଁ ମହା ଶୂନ୍ୟେ ଯିବୁ ମିଶି ତୋହ ପରି–

ଉଦାର ସୁନ୍ଦର ମୁଗ୍‌ଧ କମନୀୟ ପ୍ରାଣୀ

ଧରାରେ ପାଇବି କାହିଁ ନାଇଁ ପାରେ ଜାଣି !

ନୟନ ଯୁଗଳୁ ତୋର ଅଶ୍ରୁ ଉଠେ ଝରି

ଏ କୁଟୀର ପ୍ରତି ଜନେ କେହ୍ନେ ହୃଦ ଭରି

ପାଉଥିଲୁ ଭଲ ତୁହି ! ମନେ ପଡ଼େ ମମ

ଯେ ଦିନ ମୁଁ ପଡ଼ଥିଲି ହୋଇଣ ବିପନ୍ନ

ସ୍କନ୍ଧେ ବହି ନିର୍ବିଚାରେ ନେଇଥିଲୁ ଦୂରେ

ଆଜି ଯେବେ ସେଇ କଥା ବସି ମୁହିଁ ଝୁରେ

ଲୁହ ସିକ୍ତ ହୋଇଯାଏ ଆଖି ବେନି ପତା

ତୋର ମୋ ଭିତରେ କିବା ବିରାଟ ମମତା !

ଚାଲିଯିବୁ ? ଆଉଁ ସେ ମୁଁ ଶେଷ ଥର ପାଇଁ

ହୃଦୟ ବନ୍ଧନୁ ବଡ଼ ବିଶ୍ୱେ କିଛି ନାଇଁ !

Image

 

ମୂଲିଆ

 

ଶ୍ୟାମଳ କେଦାର ମାଳେ ଯେବେ ବୁଲିଯାଏ

କେମନ୍ତେ ମୁଁ କେତେ ବାର ତତେ ଚାହିଁଥାଏ !

ନିବିଡ଼ ଚାହାଣୀ ଢାଳି । ତୋର ପରିଶ୍ରମ–

ମୂଲ୍ୟ ଦେବାପାଇଁ ସାରା ପୃଥିବୀ ଅକ୍ଷମ !

ଦିହରେ ମଳିନ ବାସ ମୁଣ୍ଡରେ ଗାମୁଛା

ନଗ୍ନ ପିଠି, ଅନ୍ନ ବିନେ ପେଟ ଦିଶେ ତୁଚ୍ଛା

ଦିନ ନାଇଁ ରାତି ନାଇଁ ସାରା ବିଶ୍ୱ ପାଇଁ

ଖଟି ଖଟି ଆୟୁ ତୋର ଚାଲିଯାଏ କାହିଁ

ଗୃହେ ଦାରିଦ୍ର୍ୟର ଛାୟା ପ୍ରତି ଶିଶୁ ମୁଖେ

ମୁହୂର୍ତ୍ତେ ଜୀବନ ଶିରୀ ଭୋଗିନାଉଁ ସୁଖେ

କୋଟି ଦୁଃଖ ନିର୍ଯାତନା ଅଭାବ ଭିତରେ

କାମ କରି ଚାଲିଅଛୁ ଏ ଧରଣୀ ପରେ !

ହାଡ଼ ଭଙ୍ଗା କାମ ଯିଏ ଆସିଅଛି କରି,

ଚିର ଦିନ ତା’ ନେତ୍ରେ କି ଅଶ୍ରୁଥିବ ଭରି ?

Image

 

ବିଦାୟ-ଦୃଶ୍ୟ

 

କାଳୁପଡ଼ା ଇଷ୍ଟେସନ କୋଳର ସଙ୍ଖାଳି ,

ବସିଲାଣି ଯାଇ ଏବେ ପାସେଞ୍ଜର ଗାଡ଼ି ।

ରେଙ୍ଗାମ ମୂଲକେ ଯିବ କେତେ ଦୂରେ କାହିଁ,

ମାଆଟି ସେ ଲାଗି ତାର ରହିଅଛି ଚାହିଁ ।

ବରଗଛ ଅନ୍ତରାଳେ, ଆପଣା ତନୟେ,

ମାଆ ପୁଅ ଚାରି ଆଖି ଏକ ନିଷ୍ଠ ଲୟେ ।

ଏକକୁ ଆରେକ ଚାହିଁ ହୁଅନ୍ତି କି କଥା,

ଧାର ଧାର ଅଶ୍ରୁ ବୋହେ, ବୁକେ ଗୁରୁ ବ୍ୟଥା

ଅବରୁଦ୍ଧ ବାରି ସମ ପଡ଼ଇ ଉଛୁଳି,

ଶିଶିର ମାରିଣ ଗାଡ଼ି ଦୂରେ ଯାଏ ଚଳି -

ଅନପେକ୍ଷ କର୍ତ୍ତବ୍ୟର ମହାମୂର୍ତ୍ତି ପରି;

ଦୁଇ ଆଖି ଦୁଇ ଆଖେ ଚାହୁଁଚି ସେପରି ।

‘‘ରହିଲି ଅନ୍ଧୁଣୀ ହୋଇ ଧନମାଳୀ ଏଥି’’,

‘‘ବୋଉଲୋ କାନ୍ଦିବୁ ନାଇଁ ଆସିବି ଲେଉଟି’’ ।

Image

 

ଗୋଟିଏ ଅନ୍ତର

 

ଚାଲିଗଲ ଭାଇନା ହେ ଚାଲିଗଲ ତୁମେ

ରହିଲି ଏକାକୀ ହୋଇ ନିଖିଳ ଭୁବନେ

ମୋ ଅନ୍ତର ବ୍ୟଥାଟିକ ବୁଝିବାର ପାଇଁ

ଏ ମର ଭୁବନେ ଆଉ କେହି ଜଣେ ନାଇଁ

ଗୋଟିଏ ଅନ୍ତର ତୁମେ ଥିଲ ମୋହ ଲାଗି

ମୋ ବକ୍ଷେ ବେଦନା ଯେବେ ଉଠୁଥିଲା ଜାଗି

ଅଶ୍ରୁ ଯେବେ ବୋହୁଥିଲା ବେନି ଗଣ୍ଡ ବାହି

ପୋଛିଅଛ ଆପେ କହି ମୁଁ ଅଛି ତୋ ପାଇଁ ।

ନାଇଁଥିଲା କେତେ ଦମ୍ଭ କେତେ ମୋର ବଳ ?

କେମନ୍ତେ ମୁଁ ଥିଲି ସେବେ ଉଷତ ଚଞ୍ଚଳ ।

ପ୍ରଭାତ ଆକାଶ ପରି । କିବା ଦିନ ରାତେ

ଲାଗୁଥିଲା କିଏ ଜଣେ ଅଛି ମୋ ପଶ୍ଚାତେ ।

ଏବେ ଯେବେ ଦୁଃଖ ହୁଏ ଅଶ୍ରୁ ବୋହିଆସେ

ଚାହିଁ ରହେ ମହା ଶୂନ୍ୟେ ସୁଦୀର୍ଘ ନିଶ୍ୱାସେ !

Image

 

ଜୀବନ

 

କିଏ ଏ ଧରାରେ ଆସେ କେତେ ଦିନ ପାଇଁ

ପୁଣି ଚାଲିଯାଏ କା’ ନିର୍ଦ୍ଦେଶ ଅନୁସରି

ସବୁ ବୁଝି ହେଲା କିନ୍ତୁ ବୁଝି ହେଲା ନାଇଁ

ଜୀବନର ଇତିହାସ କାଳ କାଳ ଧରି !

ସକାଳେ ମୁଁ ଦେଖିଥିଲି ଏଇ ବତ୍ସତରୀ

ନାଚି କୁଦି ଖେଳୁ ଥିଲା କୁଟୀର ଅଂଗନେ

କେତେବାର ଆଉଁସିଚି କରେ ମମ ଧରି

ଶୋଇଚି ସଂଧ୍ୟାରେ ଏବେ ଅନ୍ତିମ ଶୟନେ

ଅଧେ ତୃଣ କଳେ ଅଧେ ପଡ଼ିଚି ଭୂତଳେ

ଭକ୍ଷିବାକୁ ମିଳି ନାଇଁ ଲବେ ଅବସର

ଜନନୀ ଚାହିଁଚି ତାର କେମନ୍ତେ ବିକଳେ

ମମତାର ଶେଷ କାହିଁ ଯୁଗ ଯୁଗାନ୍ତର !

ଏ ମହା ବିରାଟ ସୃଷ୍ଟି ପ୍ରହେଳିକା-ମୟୀ

ଭିତରେ କି ଅମୃତର ସ୍ରୋତ ଯାଏ ବହି !

Image

 

ସଇତାନର ସଂସାର

 

ତୁମେ କିଏ ଦେଖିବାକୁ ଚାହୁଁଅଛ ବାରେ

ସଇତାନର ସଂସାର ଅଛି କେଉଁଠାରେ ?

ତୁମେ କିହେ ଖୋଜୁଅଛ ନିମିଷକ ପାଇଁ

ଟିକିଏ ଆସିବ ବୁଲି ସେ ରାଇଜେ ଯାଇ ?

କିଭଳି ସେ ସଇତାନ ଆକାର ପ୍ରକାର

କିଭଳି ଥିବେଟି ହୋଇ ତାର ପରିବାର

ତାର ବନ୍ଧୁ ସଖା ହୋଇଥିବେ କେଉଁମାନେ ?

କି କାମ ସେ କରୁଥିବେ କି ଚିନ୍ତା ପରାଣେ

ଜାଗୁଥିବ ? ତୁମ ପ୍ରତି କିଭଳି ମମତା

ଦେଖାଇବେ କହିବେ କି ନାଇଁ ମିଠା କଥା

ଯିବାକୁ କି ଜାଗେ କୁତୁହଳ ବାରବାର ?

ପାରୁନ କି ଦେଖି ? ସଏତାନର ସଂସାର–

ବିଳେ ସର୍ପସମ ଅଛି ଏ ଧରଣୀ ଭରି

ତା’ ବିଷ ଜାଳାରେ କାନ୍ଦେ ଶ୍ୟାମା ବସୁନ୍ଧରୀ !

Image

 

ଅନ୍ୟ ଏକ ପ୍ରାଣୀ

 

ଧନୀଘର ଶିଶୁଟିଏ କନକ ପିତୁଳୀ–

ରୂପ ତାର ଦେଖି ପ୍ରାଣ ପଡ଼ଇ ଉଛୁଳି

ସାଇ ପଡ଼ିସାରେ ଯେତେ ପ୍ରିୟ ପରିଜନ

ସମସ୍ତେ ଧରନ୍ତି ତାରେ ଦିଅନ୍ତି ଚୁମ୍ବନ,

ଶୁଣନ୍ତି ଦରୋଟି ଭାଷା ଓଠ ପୁଟୁ ତାର

କୁତାର୍ଥ ହୁଅନ୍ତି ସେଇ ଧନୀ ପରିବାର !

ଗରୀବ ଘରର ଏକ ଶିଶୁ ନିତି ଆସେ

ଚାହେଁ ସାଇ ଜନତାରେ, କନ କନ ଭାଷେ–

କେତେ କଣ କହିଯାଏ, କେହି ଜଣେ କାହିଁ

ନିମିଷକ ପାଇଁ ତାରେ କୋଳେ ଧରେ ନାଇଁ !

ନିତି ସେ ପିଲାଟି ଚାହିଁ ନିତି ଯାଏ ଚଳି !

କେହି ଜଣେ ଡାକେ ନାଇଁ ଆପଣାର କରି

ଫେରିଯାଏ ଢାଳି କେହ୍ନେ ନିରାଶ ଚାହାଣୀ !

ସେ ଯେହ୍ନେ ଏ ଜଗତରେ ଅନ୍ୟ ଏକ ପ୍ରାଣୀ !

Image

 

ମୁଁ ଚାହେ

 

ପୃଥିବୀର କେଉଁ ଏକ ରାଜ-ପଥ ଧାରେ

ଠିଆହୋଇ ଚାହିଁଲେ ଏ ମହା ଜନତାରେ

ଦେଖଇ ଅଭାବ ଦୁଃଖ ଅଛି କେତେ କାର

ହେଉନି ସବୁରି ଓଠେ ପୁଲକ ସଂଚାର !

ମୁଁ ଚାହେ ଏ ସୀମାହୀନ ଜନତାର ହିଆ

ନାଚୁଥାନ୍ତା ପୁଲକରେ । ଖାଲି ଦିଆ ନିଆ

ହେଉଥାନ୍ତା ପରସ୍ପରେ ଆନନ୍ଦ କଲ୍ୟାଣ

ହସୁଥାନ୍ତା ଚିର ଦିନ ସକଳର ପ୍ରାଣ

ଜୋଛନା ସର୍ବରୀ ପରି-ପଥେ ଘାଟେ ଯହିଁ

ଚାଲିଗଲେ ଫୁଟୁ ଥାନ୍ତା ସୁବର୍ଣ୍ଣର ଛଇ

ବାଳକ ବାଳିକା ଯୁବା ଯଉବନୀ ଦେହୁ

ବିକଳାଙ୍ଗ ହୋଇ ଜଣେ ନାହିଁ ଥାନ୍ତେ କେହୁ ।

ନାଇଁ ଥାନ୍ତେ ନିଆଶ୍ରିକ ହୋଇ କେହି ଜଣେ

ରହିଥାନ୍ତେ ଏକୁ ଏକେ ଅନନ୍ତ ବନ୍ଧନେ ।

Image

 

ସ୍ମୃତିର ଉନ୍ମେଷ

 

ପରିଚିତ ଏଇ ମୋର ତଟିନୀ ସୈକତେ

ପଦ ଚାଳି ଯେତେ ବାର ଯାଏ କେଉଁ ପଥେ

ନୀରବେ କିପାଇଁ ଚାହେଁ ବେଳେ ବେଳେ ରହି

ବିଜନ ଏ ଭୂଇଁ ଅଛି କି ସଂପଦ ବହି–

ମୋହ ପାଇଁ । ପାଦ କିପାଁ ଚଳେ ନାଇଁ ଆଗେ ?

ବୁକୁ ତଳେ ବାହା ସ୍ମୃତି ବାର ବାର ଜାଗେ !

ଦରିଦ୍ର କୃଷକ ସେ ଯେ ମୋହରି ପଲ୍ଲିର

ଅଭାବ ଓ ଅନାହାରରେ ଢାଳି ଅଶ୍ରୁ ନୀର

ଅନ୍ତିମ ଜୀବନେ ଏଥି ବୁଜିଥିଲା ଆଖି ;

ତା ବକ୍ଷ ବେଦନା କହ କିଏ ବୁଝିଲା କି ?

ଏଇ ମାଟି ପାଇଁ ସେହୁ ରକ୍ତ ଦେଇ ଦେଇ

କରିଚି ଆୟୁଷ ଶେଷ । ଜଣେ ହେଲେ କେହି–

ଦେଲାନାଇଁ ଗଉରବ ତା’ବିରାଟ ଦାନେ

କିନ୍ତୁ ତା’ଅନ୍ତର ବୀଣା ବାଜେ ବିଶ୍ୱ ପ୍ରାଣେ !

Image

 

ପ୍ରଥମ, ଦ୍ୱିତୀୟ, ତୃତୀୟ,

 

ପ୍ରଥମେ ନୟନେ ଯେବେ ମିଳିଲା ନୟନ

ଓଠେ ଓଠେ ସ୍ମିତ ହାସ ମୋହନ କମ୍ପନ !

ଦର ବିକଶିତ ପଦ୍ମ କଳିକାଟି ପରି

ସେ ସ୍ମୃତି ପରାଣେ ମୋର ରହିଚି ସୁନ୍ଦରି !

ଦ୍ୱିତୀୟେ ଯେ ଦିନଗଲି ହେଲା କଥା ଭାଷା

ମରମେ ମରମେ କିବା ତଡ଼ିତର ଆଶା

ବୁଲିବା ଏକାନ୍ତେ ଢାଳି ପରାଣେ ପରାଣ

ଭୁଲିବନି କହିବାର ଦେଇ ଲକ୍ଷ ରାଣ !

ତୃତୀୟେ ଯେ ଦିନ ଗଲି ଚାହିଁଲି ସୁନ୍ଦରି !

ଅସ୍ଥି ଭସ୍ମ ଅବଶେଷ ରହି ଅଛି ପଡ଼ି ।

ଜନହୀନ ଶ୍ମଶାନେ ଗିରି ପଦ ତଳେ

କାହାରି ଅପେକ୍ଷା ଯେହ୍ନେ ଲୋଡ଼ି ନୀରବରେ !

ସାରା ଅଙ୍ଗେ ମୋର କିବା ବିଶୁଦ୍ଧ ପ୍ରଣୟ

ଧଇଲଇଁ ଯେବେ ଭସ୍ମ ଅସ୍ଥି ଚତୁଷ୍ଟୟ !

Image

 

ପ୍ରଶ୍ନ

 

ବିଶାଳ ବସୁଧା ଯେବେ ଆମ ସମସ୍ତର

ଏଥି ଯେବେ ଜନ୍ମ ଆମ, ମରଣ ଆମ୍ଭର

ଏଇ ଯେବେ ଏକ ମାତ୍ର ଆମ ପାଇଁ ସ୍ଥଳି

ବାହି ନେବା ପାଇଁ ନିତ୍ୟ ଆମ ଲୀଳା ତରୀ

ଯେବେ ୟାର ବିଲ ବନ ପାହାଡ଼ ପ୍ରାନ୍ତର

ଖୋଲିଚି ଆମରି ପାଇଁ ତା’ ମଧୁ ଅନ୍ତର

ଏ ଯେ ଅଯାଚିତ ଦାନ, ଏ ଯେ ସ୍ୱର୍ଣ୍ଣମାୟା

ଆମକୁ ଦେବାକୁ ଯେବେ ଏ ଧରିତ୍ରୀ ଆହା

ନୁହଁଇ କୁଣ୍ଠିତ ଲବେ; ଆମେ କିପାଁ କହ

ରଚେ କଳି ତକରାଳ ବିଷମ ଦୁର୍ବହ

ଆମେ କିପାଁ ଏ ମାଟିକୁ ଚିର ଦିନ ପାଇଁ

ଭେଦ ଦ୍ୱନ୍ଦ୍ୱ ହତ୍ୟା ବିଷେ ଦେଉଚେ ଭସାଇ ?

ରଖି ଅଛେ ସଏତାନ ନିତ୍ୟ ବାସ ପରି

ସୀମାହୀନ କଳଙ୍କରେ ସମାଚ୍ଛନ୍ନ କରି ।

Image

 

କୁଲିବାହୀ ଯାତ୍ରୀଗାଡ଼ି

 

ଏ ପାଖେ ବସିଚି ମୁହିଁ ସେଇ ପାଖେ ଚାହେଁ

କୁଲିବାହୀ ଯାତ୍ରୀ ଗାଡ଼ି ତୀର ବେଗେ ଧାଏଁ

ସୁଦୂର ମୂଲକେ କାହିଁ ? ହୋଇ ଗୋଟି ଗୋଟି

ବସିଚନ୍ତି ମୋ’ ଦେଶର ଲୋକ କୋଟି କୋଟି

ସେମାନେ ନିରନ୍ନ କୁଲି ଚିର ନିରାଶ୍ରୟ

ନାଇଁ ଜମି ବାଡ଼ି ନାହିଁ ପାଆନ୍ତି ଅଭୟ

କାହାଠୁ ନିମେଷ ପାଇଁ ! ଯାଉଥିବେ ଦୂରେ

ଛାଡ଼ି ଭାଇ ଭଗ୍ନୀ ଜାୟା ନିଜ ନିଃସ୍ୱ ପୁରେ ।

ଦେହେ ଛିନ୍ନବାସ, ରୁକ୍ଷ କେଶରାଶି ଶିରେ,

ଦୈନ୍ୟର ଅଭାବ ଛାୟା ସମସ୍ତ ଶରୀରେ

କେମନ୍ତେ ଉଠୁଚି କହି ବୁକୁ ଫଟା ବାଣୀ !

ମୋ ଦେଶର ଏଇମାନେ ହତଭାଗା ପ୍ରାଣୀ !

ଚିରଦିନ ଭୋଗି କଷ୍ଟ ରୋଗ ପରାଭବ

ଲବେକ ନାହାନ୍ତି ଜାଣି ଜୀବନ ସୌରଭ ।।

Image

 

ଦୁଇ ସ୍ରୋତ

 

କେତେ ଦୁଃସ୍ଥ କେତେ ଦୀନ ଏ ଧରଣୀ ତଳେ ।

ପଥ ଧାରେ ଗଛ ମୂଳେ ଆଖି ଆଗେ ପଡ଼େ

କାହା ଦେହେ ଛିନ୍ନ ବସ୍ତ୍ର ଚିର ରୁଗ୍‌ଣ କିଏ

ଦ୍ୱାରେ ଦ୍ୱାରେ ଭିକ୍ଷା ମାଗି କିଏ ଦିନ ନିଏ

କେ ପାଏ ଲାଞ୍ଛନା ମାଡ଼ ଗାଳି ଅତ୍ୟାଚାର

କରୁଣ ଚାହାଣୀ ଢାଳି କେ’ ଲୋଡ଼େ ଆଧାର

ଅନ୍ୟ ଅନ୍ନଥାଳ ପ୍ରତି, ଶୀର୍ଣ୍ଣ ଶିଶୁ କାଖେ

ଦରିଦ୍ର ଜନନୀ କାର ଅନ୍ନ ବସ୍ତ୍ର ମାଗେ

ଧରଣୀର ଏ ଦରିଦ୍ର ଜୀବ ପ୍ରତି କାର–

ଅନ୍ତର ଉଠେ ନା କାନ୍ଦି । କାହାର ବିଚାର

ମରମେ ଉଠେ ନି ଲବେ କେମନ୍ତେ ଏମାନେ

ରହିବେ ଧରଣୀ ତଳେ ମନ ସନମାନେ

ଚାଲିଚି ଏକଇ ସ୍ରୋତ କଳତାନ କରି

ଆନ ସ୍ରୋତ ପ୍ରାଣହୀନ ଯୁଗ ଯୁଗ ଧରି ।

Image

 

ହୋଇଥିଲେ

 

ହୋଇଥିଲେ ଥିଲା ଘର କିଶୋରୀ ବାଳିକା

ଓଠ କଣ ଏଇଭଳି ପଡ଼ିଥାନ୍ତା ଫିକା ?

ଫିଟି ଆସୁ ନଥାନ୍ତା କି ରଙ୍ଗ ଯୌବନର

ନ ଥାନ୍ତା କି ଦେହେ ପାରିଜାତ ପରିମଳ !

କନକ କପାଳ ତଳେ ଭ୍ରୂଲତାର ଛଇ

ଲାଜେ ଲାଜେ କେହ୍ନେ ତଳେ ପଡ଼ୁଥାନ୍ତା ଲଇଁ

ରକ୍ତ କୋକନଦ ପରି ହାତର ପାପୁଲି

ଦିଶୁଥାନ୍ତା ଲୋଭନୀୟ, ପୀଠେ ବେଶୀ ଫୁଲି–

ପଡ଼ିଥାନ୍ତା ବିମୋହନ ବିମୁଗ୍‌ଧ ଠାଣିରେ

କେଉଁ ରାଜଜେମା କେଉଁ ଉର୍ବଶୀ ରାଣୀରେ

ସମାନ କରନ୍ତା କବି ? ହେମ ହର୍ମ୍ୟ କୋଳେ

ସୁନେଲି ସପନ ଦେଖୁଥାନ୍ତା ନେତ୍ର ଡୋଳେ ।

ସୀମାହୀନ ଅଭାବର ଅତ୍ୟାଚାରେ ପଡ଼ି

ତା’ ଭିତରୁ ମରିଅଛି ସରଗ ଅପ୍‌ସରୀ !!

Image

 

ଭୋକିଲା ପେଟ

 

ଯେଉଁଠି ଭୋକିଲା ପେଟେ ହୋଇ କଲବଲ

ସଢ଼ୁଚି ଅସଂଖ୍ୟ ପ୍ରାଣ ମୋର ସମାଜର !

ଚାହିଁ ଦେଲେ ଚାହିଁବାକୁ ଇଚ୍ଛା ହୁଏ ନାଇଁ

ସେ ସମାଜ ଭାଗ୍ୟେ କିବା ଶିରୀ ଅଛି କାହିଁ ?

କିଏ ସେ ମାଗୁଚି ଭିକ ପିନ୍ଧି ଚିରା କନା

କି ବେଦନା ବୁକୁତଳେ ତାକୁ ଏକା ଜଣା

ସହି କାହା ତିରସ୍କାର କିଏ ମାଗି ମାଗି

ଫେରି ଆସେ ରିକ୍ତ କରେ ଲୁହ ଉଠେ ଜାଗି !

ନେତ୍ର ପ୍ରାନ୍ତେ ବାର ବାର, ଯେତେ ପୋଛି ଦେଲେ;

କିଏ ଖାଇବାକୁ ନାଇଁ ପାଇ ଆଉ ବେଳେ

ନିରାଶେ ବସିଚି ତାର ଜୀର୍ଣ୍ଣ କୁଡ଼ିଆରେ,

ଏ ସବୁ ଦେଖୁଚି ବସି ଆଜି ଏ ଗାଆଁରେ !

ଭୋକିଲା ପେଟର ନିଦାରୁଣ ଛଟପଟ–

ଭିତରେ କି ମଧୁସ୍ୱପ୍ନ ହୋଇବ ପ୍ରକଟ !!

Image

 

ଏ ମାଟି କୁଡ଼ିଆ ତଳେ !

 

ଏ ମାଟି କୁଡ଼ିଆ ତଳେ ପୋକ ମାଛି ପରି

ଏଇ ଯେ ପିଲାଟିମାନେ ଅଛନ୍ତି ଦିହ ଧରି

ଦେଖିଲେ ପଥର ପ୍ରାଣ ଉଠିବ ତରଳି

କିଭଳି କରୁଣ ନେତ୍ରେ ଥର ଥର କରି

ଚାହୁଁଚନ୍ତି ସେଇ ମାନେ କହ ମନ୍ତ୍ରୀଦଳ

ହୋଇଥିଲେ ଏଇମାନେ ସଂତାନ ତୁମ୍ଭର

ଏଇଭଳି ହୀନିମାନେ ରହିଥାନ୍ତେ ପଡ଼ି ?

ଉଠନ୍ତାନି କାନ୍ଦି ଶିରା ଉପଶିରା ଧରି

ତୁମରି ଶୋଣିତ ବିନ୍ଦୁ ଏବେ ନେତ୍ରେ ଚାହିଁ

ଟିକିଏତ ପଚାରୁନ ! ତୁମେ କାହିଁ ପାଇଁ–

ହୋଇଚ ଶାସକ କହ ? ଶାସକ ଅନ୍ତର

ଧରଣୀର ବେଦନାରେ ଯେବେ ନିରନ୍ତର

ନ କାନ୍ଦିବ, ନ ଭାଳିବ ପନ୍ଥା ନାଇଁ ଦବ

ସେ ନୁହେ ଧରାର ମୂର୍ତ୍ତିମାନ ଉପଦ୍ରବ ?

Image

 

କଳାସୂତା

 

ପିଲାଟିକି ସାତ ପୂରି ହେଲାଣି ଯେ ଆଠ

ସ୍କୁଲକୁ ଯାଏ ନିତି ପଢ଼ିବାକୁ ପାଠ ।

ସେ’ ଦିନ କହିଲା ତାର ଜନନୀରେ ଚାହିଁ

‘ବୋଉଲୋ ଆସନ୍ତି ପିଲେ ପଢ଼ିବାର ପାଇଁ

କା’ ବେକେ ରସୁଣୀମାଳ ପତ୍ରୀସୁନା ହାର

ମୋରେ କିପାଁ କରିଅଛୁ ଏଡ଼େ ନାରଖାର

ମୋ ବେକ ଲଙ୍ଗଳା ରଖି, କହ ମୋତେ କହ

ଗୋଟିଏ ବୋଲି ମୁଁ ତୋର ଆଦରର ଝିଅ

ନଥିଲେ କଉଡ଼ଟିଏ କଳାସୂତାଟିଏ–

ପିନ୍ଧିଲେ ବେକରେ କଣ ମାନନ୍ତାନି ସିଏ ?’

କହିଲା ପ୍ରେୟସୀ ମୋରେ ଶିଶୁ କନ୍ୟାଟିର

ଅନ୍ତର ବେଦନାଟିକ, ଲବେ ପ୍ରତିଗୀର–

ନଦେଇ ଭାବିଲି କେତେ ସୁଖେ ଅଛି କିଏ !

ମୋ ପିଲାର କଣ୍ଠେ ନାଇଁ କଳାସୂତାଟିଏ !!

Image

 

ଆଶ୍ରୟ ପ୍ରାର୍ଥିନୀ

 

କାଲି ଫୁଟିଥିଲ ତମେ ପୁଷ୍ପ-କଳି ସମ

କାହାର କୁଟୀର ପୁରେ, ସରଗ ନନ୍ଦନ !

ଖେଳି ବୁଲୁଥିଲ ତହିଁ, ଆଜି କିନ୍ତୁ ତୁମେ

ଅସହାୟ ଅବସନ୍ନ ନିଖିଳ ଭୁବନେ;

ଓଠର ମୋହନ ହାସ ବେଣୀର ବିନ୍ୟାସ

ପ୍ରିୟ ଜନେ କହିବାର ମୋହନ ସଂଭାଷ

ସବୁ ଆଜି ସ୍ୱପ୍ନ ସମ ଗଲା ଦୂରେ କାହିଁ

ନୟନୁ ଝରଇ ଅଶ୍ରୁ ଆଶ୍ରା ମିଳେ ନାହିଁ ।

ମୁଣ୍ଡ ଗୁଞ୍ଜି ରହିବାକୁ କେହ୍ନେ ନାରଖାର

ହୁଅ ଗୋ କିଶୋରୀ ବଧୂ କେଉଁ ପରିବାର

ପୁଷ୍ପିତା ଛଇଳା ତମେ ? ମଣିଷର ହାତ

କେମନ୍ତେ ଏ ପୃଥିବୀକୁ କରେ ଆତଜାତ;

ମଣିଷ ଭିତରୁ ଯେବେ ଜାଗେ ସଇତାନ

ମାରିଦିଏ ଜୀବନର ସବୁ ମଧୁତାନ

Image

 

ଜୀବନ ମମତା

 

ଶୀର୍ଣ୍ଣ ଶିଶୁ କାଖେ ଆଜି ଚାଲିଚ ଭଗିନୀ

ବାରଦ୍ୱାରେ ଭିକ୍ଷା ମାଗି, କେହି ଆପଣାର

ନାହାନ୍ତି ଧରିତ୍ରୀ ପରେ, ହୋଇ କାଙ୍ଗାଳିନୀ

କେତେ ଦୁଃଖ ପାଉନାହିଁ ତୁମେ ଅନିବାର ।

କ୍ଷୁଦ୍ର ଏ ଶିଶୁଟି ଲାଗି ବୁଲୁଅଛ ପଥେ

କିଏ ଭିକ୍ଷା ଦିଏ କିଏ ଚାହେଁ ନାଇଁ ଲବେ

ଥିଲା ଘର ହୋଇଥିଲେ କେତେ ଲୋକ ସତେ

ଖଟୁଥାନ୍ତେ ପଦଯୁଗେ, ନିଖିଳ ଏ ଭବେ;

ଅନ୍ନ ନାଇଁ, ବାସ ନାଇଁ ଚାଲିଚି ଜୀବନ

ଥିବାଯାଏ ଜୀବନର ଅନ୍ତିମ ନିଶ୍ୱାସ

ଚାଲିବାକୁ ହେବ ଏଥି, ବିପଦ ବନ୍ଧନ–

ଦରିଦ୍ର କପାଳେ ସହି ମାସ ମାସ ମାସ !

ହାୟ ! ଏ ଜୀବନ ପ୍ରତି କିଭଳି ମମତା

ସୀମାହୀନ ବିପଦରେ ଚାଲେ ଖୋଜି ପନ୍ଥା !

Image

 

ପଡ଼ିଥିବ

 

ପୃଥିବୀର ଆର୍ତ୍ତନାଦ ଗଭୀର ଦହନ

ଫିଙ୍ଗି ଦେଇ ଯେଁଉଠାରେ ଚାଲିଚି ଜୀବନ,

ଆପଣାର ସୀମାହୀନ ବଡ଼ିମା ଦେଖାଇ

କି ଫୁଲ ଫୁଟିବ ତହିଁ ଜାଣି ପାରେ ନାଇଁ

ପକ୍ଷପାତ, ଅବିଚାର, ଅନ୍ୟାୟ ଭିତରେ

ଚାହୁଚ ବିରାଟ ହେବ । ଅନ୍ଧକାର ଘରେ

ଚିରଦିନ ରହି ରହି କେ ଆଲୋକ ପାଏ,

ସେଇ ଘନ ଅନ୍ଧକାରେ ସେ ଯେ ନିଭିଯାଏ !

ପ୍ରାଣର ଅତଳ ତଳୁ ଯେଉଁ ଅଶ୍ରୁଧାର

ନିୟତି ବହୁଚି, ତାକୁ ଏଡ଼ି ଚାଲିବାର

ସାଧ୍ୟ କାର, ଏ ମାଟିରେ ? ପାରୁଅଛ ଚାଲି !

ପଡ଼ିବ ନିଶ୍ଚୟ ଦିନେ ହୋଇଣ କଚାଡ଼ି

ନାଇଁ ଥିବେ ସାହା ସାଥି ଧରିନେବା ପାଇଁ

ପଡ଼ଥିବ ପଡ଼ିଥିବ ମହାଶୂନ୍ୟେ ଚାହିଁ !

Image

 

ଯେବେ

 

ଦରିଦ୍ର କୁଟୀର ତଳୁ ଆସିଚୁଲୋ ମାଆ

କେଡ଼େ ଦୀନହୀନ ତୋର ଅଙ୍ଗ ଦିଶେ ଆହା !

ସର୍ବାଙ୍ଗ ବଳିତା ପରି ଯାଇ ଅଛି ଶୁଖି

ଧରଣୀରେ ଯେହ୍ନେ ତୁହି ଅଟୁ ମହା ଦୁଃଖୀ

ବିକୁଚୁ ବଜାରେ ବସି ଏଇ ଚୂନା ମାଛ

ପାଇଲେକ ଦି ପଇସା ଖାଇବୁ ତୁ ଭାତ !

ପିଲାଟିଏ, ହେଉ ଆଜି କେତେ ହୀନିମାନ

ତୋ ଭବିଷ୍ୟେ ଅଛି କିବା ଶିରୀ ସନମାନ

ତୋରେ ଚାହିଁ ଚାହିଁ ପାରେ ନାଇଁ କିପାଁ ମୁହିଁ ?

କି ମହା ଦଇନେ ଦିନ ନଉଚୁ ଲୋ ତୁହି !

କେ’ କିପାଁ ଜନମ ତୋତେ ଦେଲା ଏ ମାଟିରେ

ଦେଲା ଯେବେ କିପାଁ ବୁଡ଼ାଇଲା ଲୁହ ନୀରେ

ଏତେ ଶିରୀ ଥାଇ ବିଶ୍ୱେ ନଥିବାର ପରି !

ମରି ମରି ଯାଏ ଯେବେ ତୋ ଜୀବନ କଳି !

Image

 

ଗୋଲାପ

 

ହେ ବନ୍ଧୁ କହୁଚ ମୋତେ ଲେଖିବାର ପାଇଁ

ଗୋଟାଏ କବିତା ଏଇ ଗୋଲାପରେ ଚାହିଁ !

ତରୁ ବନ୍ତେ ଫୁଟି ଯେହୁ ହୁଏ ଢଳ ଢଳ

ଐଶ୍ୱର୍ଯ୍ୟ ଆନନ୍ଦେ ଯେହୁ ନିୟତ ଉତ୍‌ଥଳ

ତରୁଣୀ ବଧୂଟି ପରି, କିନ୍ତୁ ବନ୍ଧୁ ମମ

ଦେଖି ଏଇ ଗୋଲାପରେ ମୋ ଅନ୍ତର ମନ

କାନ୍ଦ କାନ୍ଦ ହୋଇଯାଏ, କେତେ ପୁଷ୍ପ କଳି

ନ ଫୁଟୁଣୁ ଯାଉଚନ୍ତି କଲବଲେ ଝଡ଼ି ।

ହତାଶ ନୟନେ କେତେ ରହିଚନ୍ତି ଚାହିଁ,

ଦରିଦ୍ର ଜୀବନେ ତାଙ୍କ ଆଉ ହେବ ନାଇଁ–

ସୌଭାଗ୍ୟର ଅଭ୍ୟୁଦୟ, ଆଉ କେତେ କାର

ଜୀବନ ଜୀବନ ପରି ନୁହେ ଏକବାର

ପଡ଼େନା କାହାରି ଆଖି ସେମାନଙ୍କ ପରେ

ଏ ଗୋଲାପ ଫୁଟୁଥାନ୍ତା ସବୁରି ଅନ୍ତରେ !!

Image

 

ଯୁଗ ଯାତ୍ରୀ !

 

ହେ ମୋର ଯୁଗର ଯାତ୍ରୀ, ତୁମ ଯାତ୍ରା ପଥେ

କାହାକୁ ଦେଖୁଚ ତୁମେ ? ଆଖି ବୁଜି ସତେ

ଚାଲୁଚ କି ? ଅବା ତୁମେ ମାତିଅଛି ଖାଲି

ପ୍ରାଣହୀନ କଲ୍ପନାରେ । ଚତୁର୍ଦ୍ଦିଗେ ବାଲି–

କେମନ୍ତେ ଯାଇଚି ମାଡ଼ି ଶ୍ୟାମଳ କେଦାର

ପରି ଯାହା ଶୋହୁଥାନ୍ତା । ବିକଳ କାଙ୍ଗାଳ

କେମନ୍ତେ ଦିଶୁଚି ଦେଖ । ତୁମେ ବକ୍ଷତଳେ

ମଣିଷର ରକ୍ତ ଅଛି । ତୁମ ନେତ୍ରେ ଜଳେ,

ସତ୍ୟର ବିଦ୍ୟୁତ ଶିଖା । ତୁମ ଦେହେ ମନେ

ସିଂହର ବିକ୍ରମ ଫୁଟେ । ତୁମେ ଜଣେ ଜଣେ

ଗୋଟିଏ ଗୋଟିଏ ସୂର୍ଯ୍ୟ । ତୁମକୁହିଁ ଧରି

ଦିଗ୍‌ବଳୟ ବ୍ୟାପୀ ଏ ଯେ ଶ୍ୟାମା ବସୁନ୍ଧରୀ,

ସରାଗେ ଉଠିବ ନାଚି । ଚାଲ ପଥ ଚାଲ !

କାଟି କାଟି ଚତୁର୍ଦ୍ଦିଗୁ ନିବିଡ଼ ଅନ୍ଧାର ।

Image

 

ଖୋଲି ଦେଖ

 

ହସ ମାଡ଼େ ଦୁଃଖ ଲାଗେ ଯେବେ ପଡ଼େ ମନେ

ସେ ଦିନ କି ଭଳି ସିଏ ଗଭୀର ନିର୍ମମେ

ମୋ ଟ୍ରଙ୍କ୍‍ ବିଛଣା ସବୁ ଦୂରକୁ ଫିଙ୍ଗିଦେଲେ

ମୁଁ ଯେହ୍ନେ ଇତର କିଏ, ନୁହେ ତାଙ୍କ ମେଳେ

ଜଣେ ବନ୍ଧୁ ଆପଣାର । ସମସ୍ତ ଗୋଟାଇ

ଗୋଟିଏ ଅପରିଷ୍କୃତ କୋଠରୀରେ କାହିଁ

ସାପିଲି କେତୋଟି ଦିନ, ଯନ୍ଦା ଓ ପିମ୍ପୂଡ଼ି

ଅଳନ୍ଧୁରେ ସେ ଘରଟି ରହିଥାଏ ପୂରି

ସେ ଦରିଦ୍ର ବାସେ ରହି ଭାଳୁଥାଏ ମନେ

ଅଶ୍ରୁସିକ୍ତ ହେଉଥାଏ ନେତ୍ର କ୍ଷଣେ କ୍ଷଣେ

ହେ ମନୁଷ୍ୟ ! ଖୋଲି ଦେଖ ତୋର ବୁକୁ ତଳ

ବହୁଚି ନିୟତ ତହିଁ ଆନନ୍ଦ ନିର୍ଝର

ସେ ନିର୍ଝରେ ଉଛୁଳାଇ ସାରା ବିଶ୍ୱ ପଥ

ନ ଚାଲୁ କିପାଇଁ ? ବାଟ ହୁଡ଼ୁ ଅବିରତ’ ।

Image

 

ଶାସକ-ଶାସନ

 

ଶାସକ ଆସନେ ବସି ନ୍ୟାୟ ଓ ଅନ୍ୟାୟ,

ନ ବୁଝି ଯେ ଇଚ୍ଛାମତେ ଦେଇଯାଏ ରାୟ,

ଜାତିର ଦେଶର ସେ ଯେ ମହା ସୟତାନ

ତାହା ତହୁଁ ବଳି ନାଇଁ ମାରାତ୍ମକ ପ୍ରାଣ !!

କି ବୁଝିଲ କି ବୁଝିଲ ରାଜକର୍ମଚାରୀ

ଜଣକର ଗୁପ୍ତ ଚିଠି ବଡ଼ ହେଲା ଭାରି !

ତାରି ବଳେ ସେ ଯେ କେଉଁ ମହା ନିର୍ଦ୍ଦୋଷରେ

କରିଗଲ ଅତ୍ୟାଚାର ଦେଖିଲନି ଥରେ

ବିଚାର ଆସନେ ବସି କି କଲ ବିଚାର

ତୁମେ ଯେହ୍ନେ ମୂର୍ତ୍ତିମନ୍ତ ମହା ଅତ୍ୟାଚାର

ନିର୍ଦ୍ଦୋଷ ନିଶ୍ୱାସେ ତୁମେ ଯିବ ପୋଡ଼ିଜଳି,

ଶାସକ ଆସନ ନୁହେ ପୁଷ୍ପ-ଶଯ୍ୟା ପରି,

ବିଳାସ ଓ ଯଥେଚ୍ଛାର ଲୀଳା ନିକେତନ

ଖଣ୍ଡାଧାର ପରି ସେ ଯେ ଅତି ତୀକ୍ଷ୍‍ଣତମ !

Image

 

ବଂଚିବି ବିରାଟ ହୋଇ !

 

ଗଧ ଓ ଘୁଷୁରି ପରି ବଂଚି ରହିବାର–

ସ୍ୱପ୍ନ ମୁହିଁ ଦେଖିନାଇଁ ବିଶ୍ୱେ ଏକବାର

ମୁଁ ଏକ ସ୍ୱାଧୀନ ଶୁଭ୍ର ଜୀବ ଧରଣୀର

ଚାହେ ମୁହିଁ ଚାଲିବାକୁ ନୋହି ନତ ଶିର !

କାହା ପାଶେ; କିଏ ମୋରେ କଲେ ପଦାଘାତ

ଉତ୍‌ଫଣ ତମ୍ପର ସମ ଉଠିବି, ଉତ୍ପାତ–

ବିରଚିବି ଧରଣୀରେ, ପେଡ଼ରେ କେଳାର

ଅହିରାଜ ଅର୍ଧମୃତ ହୋଇ ରହିବାର

ପରି ମୁଁ ବଞ୍ଚିବା ପାଇଁ, ଚାହେଁନା ଜୀବନେ ।

ଜୀବନ ପଥର ନୁହେ ଯେ ଯାହା ଇଚ୍ଛା ମନେ,

ଯୁଆଡ଼େ ଗଡ଼ାଇ ଦେଲେ ଯିବ ଗଡ଼ି ଗଡ଼ି

ଯେଉଁଠି ରଖିଲେ ତହିଁ ରହିଥିବ ପଡ଼ି

ମୁଁ ଏକ ବିରାଟ ଶକ୍ତି ବିରାଟୁ ଜନମ

ବଞ୍ଚିବି ବିରାଟ ହୋଇ ଯାବତ ଜୀବନ ।

Image

 

ମନେରଖ

 

ରହିଚ ସଂତ୍ରସ୍ତ ହୋଇ ବନ୍ଧୁ ତୁମେମାନେ ।

ମୋର ସେଇ ପ୍ରିୟ ପରିଚିତ ଅନୁଷ୍ଠାନେ !

ଜଣକର ଶାସନର କଠୋର ପୀଡ଼ନେ,

ଅପରାଧୀ ବନ୍ଦୀସମ ବଚନେ ମନନେ–

ଫୁଟେ ନି ସ୍ୱାଧୀନ ଆଶା, ଡର ଭୟ କର

ଯେହ୍ନେ କେଉଁ ପ୍ରାଣହୀନ ମହାରାକ୍ଷସର

କବଳେ କାଟୁଚ ଦିନ, କରିଦେଲେ ହାଆଁ

ଯାଉଚ ଛାନିଆ ହୋଇ, ଦିଶୁନାଇଁ ରାହା–

ପଶୁ ପାଖେ ପଶୁ ହୋଇ, ରହିଚ କେବଳ

ନାରଖାର କରି ତୁମ ଜୀବନ ସୁନ୍ଦର !

ଭୟ କରି ମରିବାଠୁ ବିଦ୍ରୋହ ଭିତରେ

ଝାସି ଏ ଜୀବନଟିକ, ବରଂ ଆନନ୍ଦରେ

ମରି ଆସେ । ସେ ମରଣେ ରହିଚି ସମ୍ମାନ

ମନେ ରଖ ତୁମେ ନୁହ ପଶୁର ସଂତାନ !

Image

 

ପ୍ରଣତି

 

ତୁମରି ହୃଦୟେ ମୁହିଁ ଜଣାଏ ପ୍ରଣତି

ସିଂହପରି ଯେଉଁ ଦିନ ସବୁ ଲାଭ କ୍ଷତି

ବର୍ତ୍ତମାନ ଭବିଷ୍ୟତ ସମସ୍ତ ବିସ୍ମରି

ଅତ୍ୟାଚାର ବିରୁଦ୍ଧରେ ଥିଲ ଯୁଦ୍ଧ କରି !

ସେଇ ଛୋଟ ଅନୁଷ୍ଠାନେ, ଦେଖିଚି ତୁମ୍ଭର

ଭିତର କି ଅଗ୍ନିଭରା ଶକ୍ତି ସାହସର !

ସତ୍ୟ କହି ଫାସି ବରଂ ପାଇବାଟା’ଭଲ

ଅସତ୍ୟର ଭକ୍ତ ହୋଇ ବିଶ୍ୱେ ନିରନ୍ତର

ହେଉଥିବା କଲବଲ ଭିତରେ ଭିତରେ

ଏ ତହୁଁକି ବଡ଼ ବ୍ୟାଧି ଅଛି ଜଗତରେ !

ବନ୍ଧୁହେ ପାଇଚ ତଡ଼ା କ୍ଷୋଭ ନାଇଁ ତିଳେ

ଯେଉଁଠି ରହିବ ତୁମେ ମହାଧରଣୀରେ

ଫୁଟିବ ତୁମରି ଗନ୍ଧ । ତୁମରି ଅନ୍ତର

ଚିରଦିନ ଅମୃତରେ ଖାଲି ଢଳ ଢଳ !

Image

 

ଜାଣି ନାଇଁ ପାରେ

 

ପଶୁର ରାଜତ୍ୱ ଆଉ ପଶୁର ଶାସନ

ଯେତେ ଦିନ କରିଥିବ ଧରଣୀ ଆଚ୍ଛନ୍ନ

ଧରଣୀର ପ୍ରତି ନେତ୍ରୁ ଉଷ୍ମ ଲୁହଧାର

ଝରୁଥିବ, ତା’ର ଶେଷ ନାଇଁ କାରବାର !

କୁଟୀରେ କୁଟୀରେ ଖାଲି ହା ହୁତାଶ ବାଣୀ

ପ୍ରତି କଣ୍ଠୁ ଫୁଟୁଥିବ ନିତ୍ୟ ଦିବାଯାମୀ

ଜୀବନର ସାରସତ୍ୱ ଯାଉଥିବ ମରି,

ଶ୍ମଶାନରୁ ବଳି ଏଇ ଧରଣୀ ସୁନ୍ଦରୀ

ଦିଶୁଥିବ ହତଶିରୀ ! ହେ ବନ୍ଧୁ ସକଳ !

ବୁଝି ମୁଁ ପାରୁଚି ତୁମ ଆର୍ତ୍ତ ଓ ବିକଳ

ଦେଖି ମୁଁ ପାରୁଛି ତୁମ ସୁନ୍ଦର ଜୀବନ

ଝାଉଁଳି ପଡ଼ିଚି ଲଭି କ୍ରୂର ନିର୍ଯ୍ୟାତନ !

ଜୀବନକୁ ମାରି ହାଣି ଧ୍ୱଂସ କରିବାରେ

କିବା ବଡ଼ ପଣ ତହିଁ ? ଜାଣିନାଇଁ ପାରେ

Image

 

ଯାହା ତୁମ୍ଭେ ହୁଅ

 

ପୁରେ ପୁରେ ରାଷ୍ଟ୍ରେ ରାଷ୍ଟ୍ରେ ପ୍ରତି ଅନୁଷ୍ଠାନେ

ଜଣେ ଚାହେ କାହିଁ ପାଇଁ ଦଳି ଆନ ପ୍ରାଣେ

ଠିଆ ହେବ ଶିର ଟେକି । ତା’ ବଚନ ବାଣ

ରଚୁ ମହା ଧରଣୀରେ ଘୋର ଅକଲ୍ୟାଣ

ମାନିବାକୁ ବାଧ୍ୟ ସର୍ବେ । ତାରେ ପ୍ରତ୍ୟୁତ୍ତର

ଦେବାହିଁ ଅନ୍ୟାୟ ହେବ ହେବ ଅସୁନ୍ଦର

ଏଇ କଣ ମାନଦଣ୍ଡ ମାନବିକତାର ?

ଏଇ କଣ ଶାସନର ଶ୍ରେଷ୍ଠ କାରବାର ?

ମୁଁ ପଚାରେ ଧରଣୀରେ ଯାହା ତୁମ୍ଭେ ହୁଅ

ମନୁଷ୍ୟ ତୁମେତ ନିଶ୍ଚେ ଆଉ କିଛି ନୁହ

ମନୁଷ୍ୟର ହାସ୍ୟ ଅଶ୍ରୁ ମନୁଷ୍ୟର ମାନ

କିପାଁ ତୁମେ ବୁଝ ନାଇଁ ଦିଅ ନାଇଁ ସ୍ଥାନ

ଯେଉଁ ଅନୁଷ୍ଠାନେ ଯେତେ ଯେ ଉପରେ ରହ

ମନୁଷ୍ୟକୁ ମନୁଷ୍ୟର ପରି କଥା କହ !!

Image

 

ଲୋଡ଼ା

 

ମନୁଷ୍ୟ ମନୁଷ୍ୟ ଚାହେ ପୃଥିବୀ ଉପରେ !

ବୁଝିବ ଯେ ସୁଖ ଦୁଃଖ, ନିଜ କାନ୍ତକରେ

ପୋଛି ଯେ ଆଣିବ ଲୁହ, ଆପଣାର କରି,

ହସି ହସି ପାରିବ ଯେ ଆପେ ଆପେ ମରି

ମନୁଷ୍ୟ ମଙ୍ଗଳ ଲାଗି, ଯାର ଅବସ୍ଥିତି,

ଚତୁର୍ଦ୍ଦିଗେ ବୁଣି ଯିବ, କଲ୍ୟାଣ ଓ ପ୍ରୀତି ;

ମନୁଷ୍ୟ ଚାହେନା କେବେ ସୟତାନ ସହ

ବଞ୍ଚି ରହିବାକୁ ପାଇ ଲକ୍ଷ ଅନୁଗ୍ରହ

କା କ୍ରୁଦ୍ଧ କଠୋର ହାତୁ ନିମିଷକ ପାଇଁ

ପଶୁ ସମତା ଦୁଆରେ ଚିର ଦିନ ଯାଇ

ବନ୍ଧା ହୋଇ ରହିବାକୁ ମଥା ନତ କରି

ଡର ଭୟେ ସବୁ ଦିନ, ସଢ଼ି, ସଢ଼ି, ସଢ଼ି

ମନୁଷ୍ୟ ମନୁଷ୍ୟ ଚାହେ ମନୁଷ୍ୟ କେବଳ

ରଚିବାକୁ ପୃଥିବୀରେ ଆନନ୍ଦର ଘର ।

Image

 

Unknown

ସେ ଦୁଃସ୍ୱପ୍ନ ନାଇଁ ଜାଗୁ

 

ଜୀବନକୁ ଚିପି ଧରି ବଞ୍ଚିବାର ଲାଗି

ଦୁର୍ବାର ଆକାଙ୍‌କ୍ଷା ଉଠେ ଯାହାର ବକ୍ଷେ ଜାଗି

କି ମଧୁ ସମ୍ପଦ ସେହୁ ପାଏ ଧରଣୀରେ

କାହିଁକି ବା ବଞ୍ଚି ରହେ ? ମହାକାଳ ନୀରେ

ବୁଡ଼ି ଭାସି ଯିବା ନିକି ଶତ ଶ୍ରେୟସ୍କର

ସେଇ ଆକାଙ୍‌କ୍ଷାରେ ମୁହିଁ ନିନ୍ଦେ ନିରନ୍ତର !

ହେ ବନ୍ଧୁ ଏ ଜୀବନରେ ନିମିଷକ ପାଇଁ

ସେ ଦୁଃସ୍ୱପ୍ନ ନାଇଁ ଜାଗୁ, ମୋତେ କିଏ କାହିଁ

କରନ୍ତୁ ଭର୍ତ୍ସନା ନିନ୍ଦା, ଦ୍ୟନ୍ତୁ ଅପମାନ

କହନ୍ତୁ ଅଲୋଡ଼ା ମୁହିଁ, ପୃଥ୍ୱୀ ପ୍ରତି ସ୍ଥାନ

ମୋହ ଲାଗି ହୋଇ ଉଠୁ ଦୁର୍ବହ ନରକ

ତଥାପି ମୋ ଓଠେ ହାସ ମରମେ ପୁଲକ

ଜାଗୁଥିବା ପ୍ରତି ନିତି । ଦରିଦ୍ର ଜୀବନେ

ମଥା ନତ କରି ମୁହିଁ ଚାଲି ନାଇଁ କ୍ଷଣେ ।

Image

 

କାମ୍ପ କୁଟୀରେ

 

ଏ କାମ୍ପ କୁଟୀରେ ମୁହିଁ ଦରିଦ୍ର ଅତିଥି

କାମ୍ପ ବଧୂ ଚାହିଁ ରହେ, ଭଗ୍ନୀସମ ପ୍ରୀତି–

ସେନେହ ମମତା ଢାଳି, ତୈଲଙ୍ଗ ବାଣୀରେ

ପଚାରଇ ଆଜି ଆମ ଏ କ୍ଷୁଦ୍ର କୁଟୀରେ

ରହିବାକୁ ହେବ ତମେ ଆସିବକି ଆଉ ?

କାହା ଘର ପୁଅ ଆସିଅଛ କାହୁଁ

ସୁଦୂର ରାଇଜ ପାରୁ ହଲାଇ ବଦନ

ଜଣାଇଲି ପାରିବି ନି ରହି କଦାଚନ

କ୍ଷମା କର ହେ ଭଗିନି ! ଚାହା ଆଉ ପାନ

ବାଢ଼ି ଦେଲା । ହେଲା ନାଇଁ ଏ ତୁମ ସମାନ

ଭୋଜ୍ୟ ବୋଲି କହିଲା ସେ ମନ ଦୁଃଖ କରି

ଆସିବେ ହେ ଆଉ କେବେ ଲବେ ନ ପାଶୋରି–

ଚାହିଁ ସେ ରହିଚି ମୁହିଁ ଆଡ଼ ହେବା ଯାଏଁ

ମନୁଷ୍ୟ ପ୍ରେମଠୁ ବଳି ବଡ଼ କିବା ଥାଏ !!

Image

 

ପ୍ରତି ପତ୍ର

 

ଭୁଲିଯାଅ ବନ୍ଧୁ ଯେବେ ପାଇଥବ ବ୍ୟଥା

କର୍ତ୍ତବ୍ୟର ପଥେ ଯେବେ ଚାଲିଚ ସର୍ବଥା

ହୋଇ ନିତ୍ୟ ନ୍ୟାୟ - ନିଷ୍ଠ ହୋଇ ସତ୍ୟବ୍ରତ

ସେ ଏକା ଗଢ଼ିବ ତବ ସ୍ୱର୍ଣ୍ଣ ରାଜ ପଥ ।

ଏ ଧରଣୀ ହେଉ ଯେତେ ଜଟିଳ କୁଟିଳ

ସୀମାହୀନ ବାଧା ଦେଉ, ବିକଳ ଅସ୍ମିଳ

କରୁ ପ୍ରତି ପଦ କ୍ଷେପେ, କିବା ପରବାୟ

ସତ୍ୟର ଅଗ୍ନିରେ ଯେବେ ତୁମ ସମୁଦାୟ

ଦେହ ମନ ଉଦ୍‌ଭାସିତ । ଚାହେ ଏଇ ମାଟି

ସଭିଏ ଚାଲିବା ଆମେ ହୋଇ ବନ୍ଧୁ ସାଥୀ

ପରସ୍ପରେ ନାଇଁ ରଖି ଭେଦ ଦ୍ୱନ୍ଦ୍ୱ ତିଳେ

ବିତରି ପ୍ରାଣର ମାୟା ନିଖିଳର ନୀଡ଼େ ।

ଏ ପଥେ ପଥିକ ଯେବେ ତୁମେ ବନ୍ଧୁ ମମ

ବୁକୁ ଚିରି ଦେଉଚି ମୋ ସେନେହ ପରମ ।

Image

 

ହତଭାଗ୍ୟ ସେଇ

 

ମୁଁ ଯେ ଛୋଟ କବି ଜଣେ ନିଖିଳ ବିଶ୍ୱର

ଝରଣାର ସ୍ରୋତ ପରି ମୋ ଅନ୍ତର ତଳୁ

କବିତା ଆସଇ ଝରି ଦିନ ଦିନ ଧରି

ତହିଁରେ ମୋ ବକ୍ଷ ଉଠେ ଆନନ୍ଦରେ ଭରି ।

କବିତା ମୋ ଜୀବନର ଏକମାତ୍ର ବ୍ରତ

କବିତା ମୋ ଜୀବନର ପରମ ଆଧାର

କବିତା ଭିତରେ ମୁହିଁ ମୋ ଭିତରେ ସିଏ

ଅନନ୍ତ ଯୁଗରୁ ଛନ୍ଦି ରହି ଅଛି କିହେ !

ଏ ଜନମେ ଆର ଜନ୍ମେ ଶତ ଜନ୍ମ ପରେ

ଗାଉଥିବି ସୀମାହୀନ କବିତା ମୁଁ କବି

କବିତାରୁ ଯେ ଅମୃତ ପାଇଚି ଧରାରେ

ସେଇ ମୋର କୋଟିନିଧି କାଳେ କାଳେ କାଳେ

ହତଭାଗ୍ୟ ନୁହେ ମୁହିଁ, ହତଭାଗ୍ୟ ସେଇ

କବିତାରେ ପ୍ରାଣକୁ ଯେ ଗଢ଼ି ନାଇଁ ନେଇ ।

Image

 

ଏଇ ବିଦ୍ୟାପୀଠେ

 

ବାଳୁତ ବୟସେ ଦିନେ ଏଇ ବିଦ୍ୟାପୀଠେ

ପଢ଼ୁଥିଲି ପାଠ ମୁହିଁ ମନ ସନମାନେ

ଆଜି ଯେବେ ବୁଲିଯାଏ, ନାଚିଯାନ୍ତି ପ୍ରାଣେ

କେତେ ବନ୍ଧୁ କେତେ ସଖା ଯେ ଶିକ୍ଷକମାନେ !

ଏଇ ଟାଙ୍ଗି ଲଟାବୁଦା ଏଇ ପଲ୍ଲୀପୁର

ଏ ପାହାଡ଼ ଏ ପ୍ରାନ୍ତର ଏଇ ପଥ ଘାଟ

ସବୁ ମୋର ପରିଚିତ ସବୁ ଆପଣାର

ଚାହିଁଲେ ଏମାନ ନେତ୍ରୁ ବହିଆସେ ଧାର

ଏ ଯେ ମୋର ଜୀବନର ଅତୁଳ ସମ୍ପଦ

ରହିଚି ମୋ ବୁକୁ ତଳେ ସ୍ୱର୍ଣ୍ଣଦୀପ ପରି

ସ୍ମରିଲେ କୁଟୀରେ ବସି ଏକାନ୍ତେ ଏମାନ

ସରସି ଉଠଇ ମୋର ବିଶୁଦ୍ଧ ପରାଣ

କେତେ ବଇଭବ ମୋର ଏ ମାଟିରେ ନାଇଁ

ଆର୍ଦ୍ର ହୋଇଉଠେ ହିଆ କେତେ କାହାପାଇଁ !

Image

 

ହେ ବାପୁଜି !

 

ହେ ବାପୁଜୀ ପୃଥିବୀର ଅମୃତ ଜୀବନ !

ଲକ୍ଷ କୋଟି ମାନବର ବନ୍ଧୁ ସନାତନ !

ନିଜକୁ ଦେଇଚ ଢାଳି, ମାନବର ପାଇଁ;

ମାନବର ସୁଖ ଶାନ୍ତି ସ୍ୱାଧୀନତା ନାଇଁ -

ଯେଉଁଠାରେ, ସେଠି ତୁମେ କରିଚ ସଂଗ୍ରାମ;

ନୁହେଁ ଖଣ୍ଡା ତଲୁଆରେ, ଆପଣାର ପ୍ରାଣ–

ପ୍ରତିଶକ୍ତି ଦେଇ ଦେଇ ! ଦୁଃଖ କଷ୍ଟ ବରି;

ପ୍ରାଣର ବିରାଟ ଶକ୍ତି ତହୁଁ କିଛି ବଳି,

ବଡ଼ ଶକ୍ତି ନାଇଁ ବିଶ୍ୱେ, ପାରିଚ ଦେଖାଇ;

ଆଣିଚ ବିଜୟଲକ୍ଷ୍ମୀ ଏଇ ମାଟିପାଇଁ ।

ତୁମରି ଏ ଶ୍ରାଦ୍ଧ ଦିନେ ତୁମ ପୁଣ୍ୟ ଛବି,

ହୃଦୟର ପ୍ରତି ତନ୍ତ୍ରେ ମୁହିଁ ଅନୁଭବି,

ତୁମ ପଦେ ଢାଳିଦିଏ ମୋର ନମସ୍କାର !

ପ୍ରାଣବାନ୍‌ କର ! ଥିବି ବିଶ୍ୱେ ଯେତେକାଳ !

Image

 

ଚାଲେ

 

ବହୁବାର ପଚାରିଚି ପ୍ରଶ୍ନ ଆପଣାରେ

କିଏ ମୁହିଁ ଆସିଅଛି ବିଶ୍ୱ ପଥଧାରେ-

କାହିଁ ପାଇଁ ? କିଏ ମୋତେ ଦେଇଚି ପଠାଇ

କେଉଁ ଅନନ୍ତରେ କେବେ ଯିବି ମୁଁ ମିଳାଇ !

ପୁଣି କେବେ ଜନ୍ମ ହେବି ଏଇ ବସୁଧାରେ

ଯେ ମୋରେ ଆଣିଚି ପାଳି ସୁଖ ଶରଧାରେ,

ବର୍ଷ ବର୍ଷ ଯୁଗ ଯୁଗ କାଳ କାଳ ଧରି

ଅବା ଏଥି ଫେରିବିନି ? ଯେ ଟିକ ମୋହରି

କେଉଁଠି ରହିବ କାହିଁ ? ଅବା ସତ୍ତା ମମ

ଏକବାର ନିଭିଯିବ ? ସମସ୍ତ ସପନ–

ପରି ମତେ ଲାଗେ ଖାଲି ! ଦୂର ଚକ୍ରବାଳେ

ଚାହିଁ ରହେ । ମନେ ମନେ ଯେହ୍ନେ ଖାଲି ଭାଳେ ।

ଲୋଡ଼ା ନାଇଁ ଏ ସକଳ ଜାଣିବାର ପାଇଁ

ଚାଲେ ମୋର ଜ୍ୟୋତିଟିକ ଫୁଟାଇ ଫୁଟାଇ !!

Image

 

ଶନିଆ ବୋଉ

 

ହେ ନିଃସ୍ୱ ଜନନୀ ମୋର ହେ ଶନିଆ ବୋଉ ।

ତାଳପିଠା କରି ମୋତେ ଖାଇବାକୁ ଦଉ

ତୁମ ଘରେ ଯାଇ ଯେବେ ବାଳୁତ ବୟସେ

ଖେଳୁଥିଲି କେତେ ଖେଳ ପରାଣ ହରଷେ ।

ମୁହିଁ ଖାଏ, ଖାଏ ତୁମ ଦରିଦ୍ର ଶନିଆ

ଏ ସକଳ ଦେଖି ତୁମ ପୂରିଯାଏ ହିଆ

ଆଉ ଖଣ୍ଡେ ମତେ ଦେଉ ଆଦରେ ବଢ଼ାଇ

ଆର ଖଣ୍ଡ, ଅଧା ସରିଥାଏ କିବା ନାଇଁ !

ତୁ କେଉଁ ସରଗେ ମାଆ ରହିବୁଣି ଯାଇ

ସେ ସ୍ମୃତିଟି ମୋର ମନେ ପଡ଼େ କାହିଁ ପାଇଁ ।

କେତେ ଭଲ ମନ୍ଦ ମୁହିଁ ଖାଉନାଇଁ ଏବେ ।

ସେ ତାଳ ଚକୁଳି ମିଠା ପାଇବି କି କେବେ ?

ଦୀନ ଦୁଃଖୀ ଘରେ ଯେଉଁ ନିଧିଟିକ ଖେଳେ

ବଡ଼ଲୋକ ଘରେ ମିଳିବ କି ? କେତେ ବେଳେ ?

Image

 

କବି ଗୋପାଳକୃଷ୍ଣଙ୍କ ପ୍ରତିମୂର୍ତ୍ତି ଦର୍ଶନେ

 

ତୁମରି କୁଟୀରେ ଆଜି ତୁମରି ସମ୍ମୁଖେ

ଚାହିଁ ମୁଁ ରହିଚି କବି ! ଗଭୀର ଉତ୍ସୁକେ

ବନ୍ଧୁ ମୋ ଖାଇବା ଲାଗି ଦେଲେଣି ତ ଡାକ

କାହିଁକି ହେଉନି ଇଚ୍ଛା ଛାଡ଼ି ତୁମ୍ଭ ପାଖ–

ଯିବା ପାଇଁ କ୍ଷଣେ ହେଲେ ଆନ କେଉଁ ଆଡ଼େ–

ଏଇ କ୍ଷୁଦ୍ର ନଗରୀର ଯହିଁ ଚାରିଧାରେ

କେତେ ହର୍ମ୍ୟ ରହିଅଛି ଶିର ଟେକି ନଭେ

ହସି ଖେଳି ପ୍ରାଚୁର୍ଯ୍ୟର ମୋହନ ଗୌରବେ

କେତେ ଧନୀ ମାନୀ ଜ୍ଞାନୀ ନାହାନ୍ତି ଏଠାରେ–

କାହାର ତ ଆକର୍ଷଣ ମୋ ଅନ୍ତର ତାରେ–

କରେନି ଆଘାତ ଲବେ । ବିମୁଗ୍‌ଧ ନୟନେ

ତୁମରେ ଚାହିଁଚି କିମ୍ପା ? ବିଶ୍ୱେ ଯେଉଁ ଜଣେ

ଚିତ୍ତେ ଦିଏ ସୀମାହୀନ ଆନନ୍ଦର ମାୟା

ତାହା ତହୁଁ ବଳି କିଏ ଏତେ ପ୍ରିୟ ଆହା !

Image

 

ଫେରିଯାଅ

 

ଧରଣୀର ଏ ଜଟିଳ ସଂଗ୍ରାମ ଭିତରେ

ବୁଡ଼ିଗଲେ, ହଜିଗଲେ ଅନ୍ତରେ ଅନ୍ତରେ–

ବେଦନାର ଶତ ଢେଉ ନାଚେ କିମ୍ପା କହ ?

ଲାଗେ କିମ୍ପା ଚଉଦିଗ ମୋରେ ଦୁର୍ବିସହ ?

ବଡ଼ କଷ୍ଟ ବଡ଼ ଦୁଃଖ ଏଥୁ ବର୍ତ୍ତିବାର

ଏ ଧରଣୀ ଭିତରେ ଯେ ଆନନ୍ଦ ସଂସାର–

ରହିଚି ଅନନ୍ତ ମାୟା ଧରି କାଳ କାଳ

ସେ ଲାଗି ନିୟତ ମୋର ଅନ୍ତର ବାହାର

ଉଠଇ ଉଦ୍‌ଗ୍ରୀବ ହୋଇ; ହସି କାହା ତୁଲେ

କେମନ୍ତେ ହେବିନି କଥା ? ପାଖେ ରହି ଦୂରେ–

ରହିବାର ପରି କେହ୍ନେ ଦେଖାଇବି ଠାଣି ?

ଆପଣାକୁ ପର କରି କେହ୍ନେ ଜାଣି ଜାଣି,

କରିବି ମୁଁ ହତାଦର ? କୁଟୀଳ ସଂସାର

ଫେରିଯାଅ ଫେରିଯାଅ ଯାଅ ଏକ ବାର !

Image

 

ତଥାପି

 

ଘରଟି ଯାଇଚି ଭାଙ୍ଗି ପଡ଼ିଅଛି ଡିହ

ତଥାପି ସେ ମୋତେ କିମ୍ପା ଲାଗେ ଏତେ ପ୍ରିୟ ?

କେତେ ବନ୍ଧୁ କେତେ ସଖା କଳ କୋଳାହଳ

କେତେ ଦିଆ ନିଆ କେତେ ସେନେହ ଆଦର

ସମସ୍ତ ଯାଇଚି ଚାଲି, ଯେ ଯହିଁ ଘରର

ଯାଇଚନ୍ତି ମରିହଜି କେ’ବା ଦୂରସ୍ଥର

କେଉଁ ଥାନେ ରହି ହେଉଅଛି ନାରଖାର ।

ଏ ଡିହ ପଡ଼ିଚି ଏଥି, ଅତୀତ ସମ୍ଭାର

ପ୍ରତି ମାଟି କଣିକାରେ ଯେହ୍ନେ ଅବା ବହି,

ମୁଁ ଚାହିଁଲେ ମୋରେ କେତେ କଥା ଯାଏ କହି

ବୁଲୁଚି ଦେଖୁଚି ମୁହିଁ ତନ୍ନ ତନ୍ନ କରି

କା’ ତୁଲେ ହେଉଛି କଥା କି ସରାଗ ଭରି ।

କିଛି ତ କୁଆଡ଼େ ନାଇଁ, ତଥାପି ଅନ୍ତର

ପାଉଚି କାହାର ସ୍ପର୍ଶ ସୁଧା ଢଳ ଢଳ !!

Image

 

ମିଶିଯାଏ

 

ଅନନ୍ତ ଆକାଶ ଏଇ ଅନନ୍ତ ପୃଥିବୀ

ଏ ମହାସଂପଦ ଛାଡ଼ି କେଉଁ ଆଡ଼େ ଯିବି–

ଯହିଁ ଚାହିଁ ଦିଏ ତହିଁ ଦିଶି ଦିଶି ଭରି

କି ଅମୃତ ବଇଭବ ଯୁଗ ଯୁଗ ଧରି

ରହିନାଇଁ ଅସରନ୍ତି ଗନ୍ତାଘର ସମ

ମୁହୂର୍ତ୍ତ ମୁହୂର୍ତ୍ତ ଧରି ଆନନ୍ଦ ପରମ

ଢାଳି ଦିଏ ମୋ ଅନ୍ତର ପ୍ରତି ରେଣୁତଳେ,

ହସି ଖେଳି ନାଚି ମୁହିଁ ଚାଲେ ନିରନ୍ତରେ

ଜୀବନ ବିପଞ୍ଚି ମୋର ମଧୁମନ୍ଦ୍ରେ ବାଇ

ଏ ମହା ସୃଷ୍ଟିରୁ ବଳି, ଆଉ ମୋହ ପାଇଁ

କି ମଧୁ ସଂପଦ ଅଛି ? କିଛି ନାଇଁ ଲୋଡ଼େ

ଚିରଦିନ ଚିରକାଳ ସୁଧା-ମୁଗ୍‌ଧ ଡୋଳେ

ଏଇ ମହାଅନନ୍ତରେ ଚାହିଁ ଚାହିଁ ଚାହିଁ

ଏହାରି ଭିତରେ କେବେ ମିଶିଯାଏ କାହିଁ !!!

Image

 

ପ୍ରିୟ ପଣ୍ଡିତ୍‌ଜୀ !

 

ନମସ୍କାର କରେ ଆଜି ତୁମ୍ଭ ପାଦତଳେ

ଏ ଦୂର ବିଦେଶେ ଯେବେ ମୋର ମନେପଡ଼େ

କେମନ୍ତେ ସେ’ ଦିନ ମୋତେ ଛାଡ଼ିଦେବା ପାଇଁ

ଅର୍ଦ୍ଧପଥ ଯାଏଁ ଆସି ରହିଥିଲ ଚାହିଁ,

ସୋଦର ମମତା ବୋଳା ନେତ୍ରବେନି ଢାଳି ।

ଯହୁଁ ଝରି ପଡ଼ୁଥିଲା ତପ୍ତ ଅଶ୍ରୁବାରି !

ରୁଦ୍ଧ କଣ୍ଠେ ଦେଲାବେଳେ ଆଶ୍ୱାସନା ବାଣୀ

ଚାହୁଁତ ନଥିଲ ପାରି, ବୁକୁତଳ ହାଣି-

ହୋଇଯାଉଥିଲା କିବା ତୀକ୍ଷ୍‍ଣ କ୍ଷୁର ଧାରେ

ଭାଳୁଥିଲି ମୋହଲାଗି ମହା ବସୁଧାରେ–

ତୁମେ ଯେବେ ରହିଅଛ ଜଣେ ଖାଲି ଜଣେ

ଆସୁ ଯେତେ ଝଡ଼ ସହିଯିବି ପ୍ରତିକ୍ଷଣେ ।

ଜଣେ ଯେବେ ବୁଝିପାରେ ମହାବିଶ୍ୱେ ମୋତେ

କି ଦୁଃଖ ଭାଳେଣି ମୋର ଅଛି ଯାତ୍ରାପଥେ !!

Image

 

ବାହିନେବି

 

ସେ ଭଳି ମମତା ସତେ ରଖିଚ ମୋ ପାଇଁ ।

ମତେ ଦେଖିବାକୁ ,ଏଠି ଆସିଅଛ ଧାଇଁ;

ପଚାରୁଚ ଗୋଟି ଗୋଟି କୁଶଳ ପ୍ରଶନ

ଭଲ ଲାଗୁଚି କି ନାଇଁ ବିଦେଶ ଭୁବନ !

ଆମେ ସବୁ ମନେ ପଡ଼ୁ କେବେ କେବେ କାହିଁ

କି ଭଳିରେ ଦିନ ତହିଁ ନିଅନ୍ତି ପୁହାଇ;

ଏ ସବୁ ଦେଖିଲେ ମୋର ଖାଲି ହୁଏ ମନ

ରହେ କୋଟି ହଇରାଣେ ଏ ସାରା ଜୀବନ,

ତୁମ ଟିକି ମନ ତଳେ ଯେବେ ମୋହ ଲାଗି

ଏତେ ଅନୁଭୂତି ଉଠେ ବେଳେ ବେଳେ ଜାଗି,

ମୋ ଅଶ୍ରୁରେ ତୁମେ ଯେବେ ଓଦା ହୋଇପାର

ମୋ ଦୁଃଖେ କମ୍ପିତ ଯେବେ ତୁମ ଚାରିଆଡ଼,

ସେଇତ ମୋ ଗଉରବ, ତାହାକୁହିଁ ଧରି

ବାହିନେବି ନିର୍ଭୀକେ ମୁଁ ମୋ ଦରିଦ୍ର ତରୀ ।

Image

 

ସାଥିହରା

 

ସାଥିହରା ହୋଇ ଆଜି ଏ ଦୂର ଭୁବନେ

ରହିବାକୁ ହେଲା ମତେ ମହା ନିକାଞ୍ଚନେ !

ସକାଳରୁ ସଞ୍ଜଯାଏ ଖାଲି ହୁଏ ଭାଳି !

ଏ ମୁହୂର୍ତ୍ତେ ତୁମ ପାଖେ ଯାଆନ୍ତି ବାହାରି !

ଜୀବନର ଯେତେ ଦୁଃଖ ଗୋଟି ଗୋଟି କରି

ତୁମ ପାଖେ କହନ୍ତି ମୁଁ, ନେତ୍ରୁ ଲୁହ ଝରି–

ଯାଉଥାନ୍ତା, ପ୍ରତି ପଦ କହିବାର ବେଳେ

କେତେ ଯେ ଆଶ୍ୱାସ ଆହା ଲାଗୁଥାନ୍ତା ମୋରେ

ତୁମେ ମୋରେ ଦେଉଥିଲ ସେନେହ ସମ୍ମାନ

ବୁଝୁଥିଲ ମୋ ଅନ୍ତର ସୁଖ ଦୁଃଖମାନ

ତୁମେ ମୋରେ ଲୋଡ଼ୁଥିଲ ପ୍ରତି ମୁହୂର୍ତ୍ତରେ

ଯେତେ ଯେତେ ଦିନ ଥିଲି ତୁମରି ସଙ୍ଗରେ ।

ସକଳ ତିଆଗି, ଏକା ନାଇଁ ରହିପାରେ ।

କହିଉଠେଁ ଚାହିଁ ବନ ବିଲ ଚାରିଆଡ଼େ ।

Image

 

ଏକାକୀ ପ୍ରବାସେ

 

ସୁଦୂର ପ୍ରବାସେ ଏଇ ଗିରିମାଳା ତଳେ,

ନୀରବେ ବସିଚି ଏକା, ମୋର ମନେ ପଡ଼େ

ମୋ ଦରିଦ୍ର ଜୀବନର ଅତୀତ କାହାଣୀ

କେତେ ଦୁଃଖେ ଆସିଚି ମୁଁ ବଢ଼ି ଦିବା ଯାମୀ;

କାହା ଦ୍ୱାରେ ଗୋଡ଼ ଭାଂଗି ଠିଆ ହୋଇ ନାଇଁ

ମୋର କେ ସାହାଯ୍ୟ କରୁ ଲୁହ ନେତ୍ରେ ଚାହିଁ;

କିଏ କେତେ ମୋ ଦରିଦ୍ର ଜୀବନର ପଥ

କରିଚନ୍ତି କଣ୍ଟକିତ, । ଭଗ୍ନ ମନୋରଥ -

ହୋଇ ମୁଁ ଯାଇନି ଫେରି, ଚାଲିଅଛି ଆଗେ

ନେତ୍ରପ୍ରାନ୍ତୁ ଅଶ୍ରୁ ପୋଛି କୋଟି ଅନୁରାଗେ;

କେତେ ଦୁଃଖ ଅତ୍ୟାଚାର କ୍ରୂର ଆକ୍ରମଣ

ଦେଇନି ପ୍ରହାର ମୋରେ ବିଷମୁ ବିଷମ !

ତଥାପି ଚାଲିଚି ଲବେ ନୋହି ମୁଁ ଚଞ୍ଚଳ

ଦେଖିବାକୁ ଜୀବନର ସ୍ୱର୍ଣ୍ଣ ଶତଦଳ !

Image

 

ତରୁଣ କବି ବିଶ୍ୱମ୍ଭରଙ୍କ ପ୍ରତି !

 

ହେ କବି ! ଦରିଦ୍ର ତବ ଜୀବନର ପଥେ

ଚାଲହେ ସାଧନା କରି ପଡ଼ନାଇଁ ଲଇଁ

ସମ୍ମୁଖକୁ ଚାହିଁ ଚାଲ ଚାଲ, ଚାଲ ଚାଲ !

ଦେଖିବ ନିଶ୍ଚୟ ସ୍ୱର୍ଣ୍ଣ ଆଲୋକର ଛଇ !

ପ୍ରତିପଦେ ଜୀବନକୁ ତୁଚ୍ଛ ମନେକରି

ଆପଣାକୁ ଦେଇ ଦେଇ ଶତେକ ଧିକାର

ରୁଦ୍ଧ ଗୃହ ଅନ୍ଧକାରେ ବିତାଇ ଜୀବନ

କରନା କରନା କବି କେବେ ହାହାକାର !

ଦାରିଦ୍ର୍ୟ ଅଭାବ ଅବା ତୀବ୍ର ଅନଶନ

ହୋଇ ପାରେ ମହାବାଧା ଜୀବନର ପଥେ

ଆତ୍ମାର ଯେ ମହାଶକ୍ତି ଓତପ୍ରୋତ ହୋଇ

ଜଳୁଚି ତୁମରି ଦେହେ ମନେ ଅବିରତେ

ତାହାରେ ପରାସ୍ତ କରି ଊର୍ଦ୍ଧ୍ୱେ ଉଠିବାର

କ୍ଷମତା ସାହସ ଅଛି ଏ ବିଶ୍ୱେ କାହାର ?

Image

 

ସେତେବେଳେ

 

ଏ ଜୀବନ ଫୁଲଟି ମୋ ତରୁ ବୃନ୍ତଚୂଡ଼େ

ତେମନ୍ତେ ରହିଚି ଫୁଟି ଏ ଧରଣୀ ପୁରେ

ପ୍ରତି ନିତି ଦେଖୁଚି କି ବିମୁଗ୍‌ଧ ସପନ !

ଚତୁର୍ଦ୍ଦିଗେ କରି ବର୍ଣ୍ଣ ଗନ୍ଧ ବିକିରଣ !

ପ୍ରତିବାସୀ ବନ୍ଧୁଜନେ କରି ଆପଣାର

ଚାଲିଅଛି ସୁଖେ ଦୁଃଖେ, ଯାହା ଆସିବାର–

ଯେତେବେଳେ ଝଡ଼ଝଞ୍ଜା ଉତ୍‌ଥାନ ପତନ

କାହାରେ ଖାତିରି ନାଇଁ କରି କଦାଚନ ।

ସମୟ ଆସିବ ଦିନେ ବୃନ୍ତ ତେଜି ତଳେ

ପଡ଼ିଥିବ ହୀନିମାନେ, ପାଖୁଡ଼ା କେଶରେ-

ନାଇଁ ଥିବ ବର୍ଣ୍ଣ ଗନ୍ଧ ଶିରୀ ଜୀବନର,

ନାଇଁ ଥିବ ଏ ଲାବଣ୍ୟ ମନୋମୁଗ୍‌ଧକର ।

ସେତେବେଳେ ପଥପ୍ରାନ୍ତେ ଠିଆ ହୋଇ କ୍ଷଣେ

କିଏ କି ଚାହିଁବ ନାଇଁ କରୁଣ ନୟନେ ?

Image

 

ବିତିଯାଉ ଦିନ କରି ଜାତିର ମଙ୍ଗଳ

 

ହେ ପୁଣ୍ୟ ଦିବସ ମୋର ଜାତିର ଶୃଙ୍ଖଳ

ଛିନ୍ନ ହେଲା ଯେଉଁ ଦିନ ମହା ଶୁଭଙ୍କର

ନବ ସୂର୍ଯ୍ୟୋଦୟ ତବ । ସ୍ମୃତି ସେ ଦିନର

କେମନ୍ତେ ଭୁଲିବି କହ ଜନ୍ମ ଜନ୍ମାନ୍ତର ।

ନିବିଡ଼ ତିମିର ତଳେ ଶତ ନିଷ୍ପେଷଣେ

କେମନ୍ତେ ମୋ ଜାତି ଥିଲା ପଡ଼ି ଗଲେ ମନେ

ରୋମାଞ୍ଚେ ଶରୀର ସାରା କହେ ଶୂନ୍ୟେ ଚାହିଁ

ଦାସତ୍ୱ ବନ୍ଧନ ଠାରୁ ବଡ଼ ଦୁଃଖ ନାଇଁ–

ମାନବ ଜାତିର ବିଶ୍ୱେ । ଦାସତ୍ୱ ହିଁ ତାର

ମାରି ମାରି ଦିଏ ସବୁ ହୃଦୟ ଝଙ୍କାର !

ସ୍ୱାଧୀନ ମାଟିର ମୁହିଁ ସ୍ୱାଧୀନ ଜୀବନ

କେମନ୍ତେ ଦେଖଇ ଲକ୍ଷ ସୁନାର ସପନ

ଅଗଷ୍ଟ ପନ୍ଦର ! ଦିଅ ବକ୍ଷେ ନବ ବଳ

ବିତିଯାଉ ଦିନ କରି ଜାତିର ମଙ୍ଗଳ !

Image

 

ସେ’ ଯେ ଗଲା କାହିଁ ?

 

ଯେତେ ଯା ସଂପଦ ମୋର ନିଃସ୍ୱ ବୁକୁତଳେ

ସବୁତକ ଦେବା ପାଇଁ ଅକୁଣ୍ଠିତ କରେ ।

ଚାହିଁ ମୁଁ ବସିଚି ଏଠି ଦିନ ଦିନ ଧରି

କେତେ ଦିନ ମାସ କେତେ ବର୍ଷ ଯାଏ ଚଳି !

କେତେ ସଂଧ୍ୟା ଯାଇ ପୁଣି କେତେ ସଂଧ୍ୟା ଆସେ

କେତେ ସ୍ୱର୍ଣ୍ଣଶିରୀ ଜାଗେ ଉାଷାର ଆକାଶେ

କେତେ ଲୁହ ବହିଯାଏ ନେତ୍ରୁ ଝରଝର,

କେତେ ସ୍ୱପ୍ନ ଦିବାନିଶି ଦେଖେ ଅବିରଳ ।

କେତେ ଡାକେ ମହାଶୂନ୍ୟେ ଚଉଦିଗେ ଚାହିଁ

ସଜାଡ଼ି ରଖିଚି ସବୁ ସେ ଯେ ଗଲା କାହିଁ ?

ଥରେ ସେ ଦେଖିଚି ମୋରେ, ମୁଁ ଦେଖିଚି ଥରେ

ଭଲ କରି ଚିହ୍ନି ଅଛୁ ଆମେ ପରସ୍ପରେ !

ବର୍ଷଣ ବାରିଦ ପରି ରହିଚି ଅନାଇଁ

କା’ ବକ୍ଷେ ପଡ଼ିବି ଢଳି ସେ ଯେ ଗଲା କାହିଁ ?

Image

 

ଯା’ର ଅଛି ତ୍ୟାଗ

 

ବସିଚି ଆଜି ମୁଁ ଏଇ ଆମ୍ରକୁଞ୍ଜତଳେ

ଶୀତଳ ସମୀର ବହିଆସେ କୁତୁହଳେ

ପ୍ରତିଆମ୍ରତରୁ ଢଳି ଆନ ତରୁ ଶିରେ

ମତ୍ତ କି ମାଧୁରୀ ପାନେ ! ଆନନ୍ଦେ ଅଧୀରେ;

ପ୍ରତିତରୁ ପ୍ରତିଶାଖା ଦେଇଚି ବିସ୍ତାରି

କି ଶାନ୍ତ ଶୀତଳ ଛାୟା; ପକ୍ୱ ଆମ୍ବ ବାଢ଼ି–

ଦିଏ ପୁଣି ବେଳେ ବେଳେ । ଭାଳେ ମୋ ଅନ୍ତର

ଅନ୍ୟକୁ ବିତରିବାରେ କି ଐଶ୍ୱର୍ଯ୍ୟଝର

ଦେହେ ମନେ ଫିଟିପଡ଼େ । ଏଇ ଦାନ ଲାଗି

ପ୍ରତିତରୁ ଶାଖେ ଶାଖେ ପର୍ଣ୍ଣେ ଉଠେ ଜାଗି

ଏ ମଧୁ ମୋହନ ମାୟା; ଆମ୍ର କୁଞ୍ଜ ତଳ–

ଲାଗେ ଯେହ୍ନେ ପୃଥିବୀର ଏକମାତ୍ର ଘର–

ଶାନ୍ତି ଆଉ ଐଶ୍ୱର୍ଯ୍ୟର । ଯା’ର ଅଛି ତ୍ୟାଗ

ସେ ଏକା ଧରାରେ ପାଏ ଅମୃତର ଭାଗ !

Image

 

ଆଶାୟୀ

 

ଘୃଣ୍ୟ ହେୟ ତୁଛ ମୁହିଁ ପୃଥିବୀ ନୟନେ

ମୋର ହୋଇ ପୃଥିବୀରେ ନାଇଁ କେହି ଜଣେ;

ଚତୁର୍ଦ୍ଦିଗେ ବାତ୍ୟା ବହେ ଭୀମ ଭୟଙ୍କର

କା’ ଆଗେ ଫିଟାଇ ମୋର ସମସ୍ତ ଅନ୍ତର

କହିବି ଅନ୍ତର କଥା ? ପାଏ ନାଇଁ କାରେ,

ବିତିଯାଏ କେତେକାଳ ଅଶ୍ରୁହାହାକାରେ ।

ସବୁ ଦୈନ୍ୟ ସବୁ ବାଧା; ସବୁ ଧକ୍‌କା ଆସେ,

ଆପଣାର କରି ମୁହିଁ ଯାଏ ଯାହା ପାଶେ,

ମୁହଁ ମୋଡ଼ି ଦେଇ ମୋରେ କହନ୍ତି ନି କଥା !

ଗଭୀରୁ ଗଭୀରତର ହୁଏ ମୋର ବ୍ୟଥା !

ଭୀଷଣ ସଂକଟ କୋଳେ ମୁହିଁ ଯାତ୍ରୀଟିଏ

ପଡ଼ିଅଛି । ମୋର ବକ୍ଷତଳେ ତୁମେ କିଏ ?

ଅନନ୍ତ ଆଶାର ଦୀପ ଦେଇଅଛ ଜାଳି !

ତେଜୁଚି ସେ ଦୀପ ମୋର ସବୁ ତୈଳ ଢାଳି ।

Image

 

ଅମୃତ ରୂପ

 

ସେଦିନ ମୁଁ ସେ’ ଗାଡ଼ିରେ ସେ’ ଦିନ ସକାଳେ

ଯାଉଥିଲି ବନ୍ଧୁ ମୋର ! ଦରିଦ୍ର କପାଳେ

ନ ଘଟିଲା ପାଇବାକୁ ସାକ୍ଷାତ ତୁମ୍ଭରି,

ତୁମେ କିନ୍ତୁ ଆସିଥିଲ ପଥ ଶ୍ରମ କରି,

ମତେ ଟିକେ ଦେଖିଥାନ୍ତି ବୁଝିଥାନ୍ତ ମମ–

ପ୍ରାଣର ଅତଳ ତଳେ ଆଘାତ ବିଷମ

କେମନ୍ତେ ରହିଚି ଲାଗି, ତୁମ୍ଭମାନଙ୍କର

ସ୍ନେହ ଶ୍ରଦ୍ଧା ସମ୍ମାନର ପାତ୍ର ନିରନ୍ତର

ମୁଁ ଯେବେ ପାରିଚି ହୋଇ ନିଃସ୍ୱ କବିଜନ,

କି ଦେବି ତା ପ୍ରତିଦାନ ? ଏକ ଅଶ୍ରୁ କଣ–

ଛଡ଼ା ମୋର କିବା ଅଛି ? ତୁମେ ମୁଁ କେ’ କାହିଁ ?

ଅନ୍ତର ଅନ୍ତରେ ଖୋଜେ ଚିରଦିନ ପାଇଁ

ସ୍ରଷ୍ଟା ଯେ ଗଢ଼ିଚି ଏଇ ଜୀବନ ଆମ୍ଭର

ବାସ୍ତବିକ କି ସୁନ୍ଦର ରୂପ ଅମୃତର !!

Image

 

ହେ ମୋର ଆଲମ !

 

ହେ ମୋର ଆଲମ ! ମୋର ନେତ୍ର ଉଷ୍ମ ବାରି

କାହିଁକି ଦେଉଚ ପୋଛି ? ସ୍ୱର୍ଣ୍ଣ କର ଚାଳି !

ଯେତେ ଯା ବେଦନା ଦୁଃଖ ଦରିଦ୍ର କପାଳେ

ଭୋଗିବାକୁ ହେବ ମତେ । ନିଖିଳ ସଂସାରେ–

କାହାକୁ କିଭଳି ରୂପେ ଚାଲିବାକୁ ହବ–

କେତେବେଳେ, ଜାଣିବାତ ନୁହଇ ସମ୍ଭବ !

ବୋହିଯାଉ ଯେତେ ଅଶ୍ରୂ ଅଛି ବହିବାର

ଆସୁ ଯେତେ ଯେତେ ଦୁଃଖ ଅଛି ଆସିବାର

ପୃଥିବୀର ପୁଞ୍ଜୀଭୂତ ଦୁର୍ଦ୍ଦଶା ସକଳ

ଲୀଳାରରୁ ଆସି ମୋର ଏଇ ବୁକୁତଳ ।

କାନ୍ଦି କାନ୍ଦି ଗଡ଼ିଯାଏ, ମୁଁ ପାଗଳ ପରି,

ମତେ କିପାଁ । ହେ ଆଲମ ରଖିଅଛ ଧରି ?

ଦେଉଚ ସାନ୍ତ୍ୱନା ମଧୁ । ମୋହର ଜୀବନ,

ଶତବାଧା ଶତଦୁଃଖ ଲୀଳା ନିକେତନ !

Image

 

କିପାଁ ଚାହେଁ ପ୍ରତିକ୍ଷଣେ !

 

ମୋର ଏଇ ଅପୁତ୍ରିକ ଦରିଦ୍ର ଜୀବନେ

ତୁମକୁ ଆଲମ କିପାଁ । ଚାହେଁ ପ୍ରତିକ୍ଷଣେ ।

ପଚାରେ କିପାଇଁ ତୁମେ ଖାଇଚ କି ନାଇଁ ?

ନାଇଁ ଖାଇଥିଲେ କିପାଁ ପାଖରେ ବସାଇ

ଖୋଇବାକୁ ତୁମରେ ମୁଁ, ମନେ ଇଚ୍ଛା ଜାଗେ

ଖାଉଥିଲେ ଜଳଖିଆ, ତହୁଁ ଆନ ଭାଗେ

କି ପାଇଁ ତୁମରେ ଦିଏ, ସବୁରି ଅଜ୍ଞାତେ,

କି ମଧୁ ମୋହନ ଡୋରି ବାନ୍ଧେ ତୁମ ସାଥେ !

ପାଇଲେ ବିରାମ ଲବେ, ବସି ତୁମ ସହ

ଶୁଣିବାକୁ ତୁମ ତୁଣ୍ଡ କଥା କି ଆଗ୍ରହ–

ଜାଗେ ଏ ଅନ୍ତରେ, ତୁମ ଗଉରବଟିକ,

ଲାଗେ କିପାଁ ମୋର ଏଡ଼େ ଅଧିକୁ ଅଧିକ,

ସୁଖେ ବଞ୍ଚିଥାଅ ବାବୁ ! ନିଖିଳ ଭୁବନେ

ତୁମକୁ ଆଲମ କିପାଁ ଚାହେଁ ପ୍ରତିକ୍ଷଣେ !

Image

 

ମୁଁ ଗୋଟିଏ ଲୋକ

 

ମୁଁ ଗୋଟିଏ ଲୋକ ଏଇ ମହା ପୃଥିବୀର

ଦିନେ ନିଭିଯିବି ଏଠି, ସୂର୍ଯ୍ୟସମ ଥିର–

ରହିତ ପାରିବି ନାଇଁ । ସୃଷ୍ଟି ଆଦିକାଳୁ

ମୋହ ଭଳି ଲକ୍ଷ ଜନ ଏ ମହାସଂସାରୁ

ବିଦାୟ ନେଲେଣି, ପୁଣି ମୋହଭଳି ଲୋକ

ଆସିବେ ଅଗଣ୍ୟ ଲଭି ସୁଖ ଦୁଃଖ ଶୋକ–

ଧରାରେ କାଟିବେ କାଳ ପୁଣି ଯିବେ ଚାଲି,

ସତ୍ତା କାର ମିଳିବନି ସ୍ୱପ୍ନେ ହେଲେ ଖାଲି

ନିମିଷକେ ଦେଖିବାକୁ । ମୋର ଅବସ୍ଥିତି

ମୋରେ ଏତେ ଦିଏ କିପାଁ ସୁମଧୁର ପ୍ରୀତି !

ଦୁଃଖ ନାଇଁ କ୍ଷଣେ ଦଣ୍ଡେ ରହେ ଧରାପରେ

ଅସୀମ ପ୍ରାଣର ମାୟା ମୋହରି ଭିତରେ

ରଚେ ଯେଉଁ ମଧୁ ତାନ ସେହିଟିକ ଧରି

ମୁଁ ଗୋଟିଏ ଲୋକ ବୋଲି ଯାଏ ଗର୍ବ କରି ।

Image

 

କବି ଓ କବିତା

 

କରମେ ବିରାମେ ଯେବେ ଲେଖନୀଟି ଧରି

ଲେଖଇ କବିତା ବସି ତାନମାନ ଭରି;

କହନ୍ତି କୁଟୀର ରାଣୀ ‘‘ଗୃହଧନ୍ଦା ଛାଡ଼ି

ଏ କବିତା ଲେଖିବାରେ କି ସଂପତ୍ତି ବାଡ଼ି

ମିଳଇ ତୁମରେ କହ ? ଆଜିଯାଏଁ ଲେଖି

କେତେ ଖଣ୍ଡ ବହି ଭଲା ଛାପିଅଛ ଦେଖି

କବି ବୋଲି କେବେ ଅବା ପାଇଚ ସମ୍ମାନ

ବିପୁଳ ଜନତା ମେଳେ, ବରଂ ହଇରାଣ -

ହୁଅ ତୁମ୍ଭେ ପ୍ରତି ପଦେ, ଦୁଃଖ ଅଭାବର -

କଷାଘାତେ ବେଳେ ବେଳେ ତୁମେ ଥକିପଡ଼ !

ପ୍ରଭୁତ୍ୱ କ୍ଷମତା ନାଇଁ, କେହି ତୁମ୍ଭ ବାଣୀ

ମାନନ୍ତିନି, ସମାଜର ଅପଦାର୍ଥ ପ୍ରାଣୀ ।’’

‘‘ହୁଏ ମାନହୀନ କେହି ନ ଲୋଡ଼ନ୍ତୁ ଲବେ

କବିତାରେ ବିଶ୍ୱପ୍ରାଣ ନିତି ଅନୁଭବେ ।’’

Image

 

ଦୁଇଟି ପ୍ରାଣର

 

ଦୁଇଟି ପ୍ରାଣର ଯେଉଁ ନିବିଡ଼ ବନ୍ଧନ

ଦୁଇଟି ପ୍ରାଣର ଯେଉଁ ମଧୁ ଆଳାପନ

ଦୁଇଟି ପ୍ରାଣର ଯେଉଁ ବେଦନା ଦୁର୍ବହ

ଦୁଇଟି ପ୍ରାଣର ଯେୁଁ ଅଶ୍ରୁ ପ୍ରାଣମୟ !

ଦୁଇଟି ପ୍ରାଣର ଯେଉଁ ଚୁପି ଚୁପି ଭାଷା

ଦୁଇଟି ପ୍ରାଣର ଯେଉଁ ବୁକୁତଳ ଆଶା

ଦୁଇଟି ପ୍ରାଣର ଯେଉଁ ପ୍ରାଣ ବୋଳା ହାସ

ଦୁଇଟି ପ୍ରାଣର ଯେଉଁ ଶତ ଦୀର୍ଘ ଶ୍ୱାସ

ଦୁଇଟି ପ୍ରାଣର ଯେଉଁ ଦାରୁଣ ବିରହ

ଦୁଇଟି ପ୍ରାଣର ଯେଉଁ ମିଳନ ଆଗ୍ରହ

ଦୁଇଟି ପ୍ରାଣର ଯେଉଁ ଦେଖିପାରିବାର

ଦୁଇଟି ପ୍ରାଣର ଯେଉଁ ପୁଣ୍ୟ ବ୍ୟବହାର

କି ଅନନ୍ତ ଅଇଶ୍ୱର୍ଯ୍ୟ ନାଇଁ ତହିଁ ଭରି ?

ଏ ମାଟିର କେଉଁ ପାରେ ଅଛି ଏଇଭଳି ?

Image

 

ଲତିକା !

 

ଲତିକା ଗୋ ! ତତେ ମୁହିଁ ଖାଲି ଭଲପାଏ !

ଲତିକା ଗୋ ! ତତେ ମୁହିଁ ଚିରଦିନ ଚାହେଁ !

ଲତିକା ଗୋ ! ତତେ ମୁହିଁ ଖାଲି କଥା କହେ !

ତୋ ପାଇଁ ମୁଁ ପଥପ୍ରାନ୍ତେ ଅଟକି ଯେ ରହେ !

ଲତିକା ଗୋ ! ତତେ ଖାଲି ଦେଖିବାକୁ ଡୋଳେ

ଚାଲିଆସେ ତୋର ଗାଆଁ ବିଲ ବନ ଖୋଲେ !

ଲତିକା ଗୋ ! ତୋ ଓଠର ମୃଦୁ ମୃଦୁ ହାସ

ଦେଖିବାକୁ କେତେ ନାଇଁ କରଇ ପ୍ରୟାସ !

ଲତିକା ଗୋ ! ତୋ ଅନ୍ତର ସେଇ ମଧୁଟିକ

ମତେ ଲାଗେ ଚିରଦିନ ଅଧିକୁ ଅଧିକ !

ଲତିକା ଗୋ ! ତୋହ ପାଖେ ନେତ୍ରୁ ଲୁହ ଢାଳି

କହିବାକୁ ମୋ ବେଦନା ଇଚ୍ଛା ହୁଏ ଭାରି !

ଲତିକା ଗୋ ! ଲତିକା ଗୋ ! ଚାହାଁ ମତେ ଚାହଁ। ।।

ମୋ ପାଇଁ ରଖିଚି କିଏ ସୀମାହୀନ ମାୟା ??

Image

 

କେଡ଼େ ଭଲ ତୁମେ !

 

ଏ ଧରଣୀ କେଡ଼େ ଭଲ ! କେଡ଼େ ଭଲ ତମେ !

ମୁଁ ତୁମକୁ ଆପଣାର କରେ ମନେ ମନେ !

ପ୍ରଜାପତି ଉଡ଼ିବୁଲେ ଉଡ଼ିବୁଲେ ମୁହିଁ

ତୁମକୁ ସେନେହେ ଟିକେ ଦେବାଲାଗି ଛୁଇଁ !

କଥା ପଦେ କହିବାକୁ କେତେ ଲୋଡ଼ିହୁଏ

ତୁମେ ଦୂରେ ମୁହିଁ ଦୂରେ ଅଲଗା ଯେ ଦୁହେଁ !

ତୁମେ ଜାଣ ମତେ ମୁହିଁ ତୁମକୁ ଗୋ ଜାଣେ !

ଟିକିଏ ତ ମିଶିଗଲେ ନାଇଁ ପ୍ରାଣେ ପ୍ରାଣେ ?

ଫୁଲ ହସେ ତାରା ହସେ ଚନ୍ଦ୍ର ହସେ ନଭେ

ତୁମେ ଟିକେ ହସିଲନି ମୋ ପାଖେ ନୀରବେ ?

ତୁମେ ଯିବ ମୁହିଁ ଯିବି ମିଶି କେଉଁପାରେ

ଅବୁଝା ରହିବା ଆମେ ବେନିଏ ସଂସାରେ

ପ୍ରାଣ ପାଖେ ପ୍ରାଣର ଯେ ମଧୁ ନିବେଦନ

ତାର କଣ ଶେଷ ସଖି ! ହେବ କଦାଚନ !

Image

 

ଦିନକର ପ୍ରଶ୍ନ

 

ସେ ଦିନ ଶାରଦ ସନ୍ଧ୍ୟା, ଦିନାନ୍ତ ତପନ–

କନକ ଆଭାରେ କରି ସିକ୍ତ ଏ ଭୁବନ,

ଶାନ୍ତ ଗିରିଚୂଳେ ବୁଡ଼ି, ବୁଡ଼ି ଯାଇନାଇଁ,

ଆସୁଚି ଶସ୍ୟର ଗନ୍ଧ ଦିଗ ମହକାଇ ।

ଅଗଣିତ ଜହ୍ନିଫୁଲ ପ୍ରକୃତି ବଧୂର

ସ୍ୱର୍ଣ୍ଣ ହାସ ସମ ଫୁଟି ଦିଶଇ ରୁଚିର

କୋଳେ ମୋର ମଥା ଥାପି ଜୀବନର ରାଣୀ

କହିଲା ଖେଳାଇ ସ୍ମିତ ଓଠେ ମଧୁବାଣୀ ।

‘‘ମୁଁ ଯେବେ ତୁମରେ ପ୍ରିୟ ଏଇପରି ଚାହିଁ

ବୁଜନ୍ତି ନୟନ ଡୋଳା ଚିରଦିନ ପାଇଁ

କେମନ୍ତେ ଲାଗନ୍ତା ଭଲ ! କି କରନ୍ତ ତୁମେ ?’’

ନିବିଡ଼ ଆଶ୍ଳେଷ ଦେଇ ଅଶ୍ରୁଳ ନୟନେ,

କହିଲି,‘‘ମୁଁ ଚିରଦିନ ତୁମ ସ୍ୱପ୍ନ ଦେଖି

ଅଶ୍ରୁରେ ଗୋ ଯାଉଥାନ୍ତି କୋଟିକାବ୍ୟ ଲେଖି ।’’

Image

 

କାହିଁକି ?

 

ସ୍ମୃତିପଥେ ସେଇକଥା ପୁଣି ଆସେ ଉଇଁ

ଥିର ହୋଇ ମୁହୂର୍ତ୍ତେ ମୁଁ ନାଇଁ ରହିପାରେ

କେତେ ଦୁଃଖ ଦୂରଦଶା ଯାଇନାଇଁ ଛୁଇଁ ?

ଆଉ କି ଆସିବ ବୋଲି ସବୁବେଳେ ଭାଳେ !

ଆସିଲେ ଆସିବ ମୋର କିବା ଅଛି ହାତ

କିନ୍ତୁ ମୁଁ ଚାଲିଚି ସଖୀ ! ମଧୁ ଆଶା ଧରି

ଯେତେ ହେଉ ଦିନୁଦିନ ପିଚ୍ଛିଳ ମୋ ବାଟ

ଚାଲିଥିବି ପାଦ ଚିପି ନିମିଷେ ନ ଡରି ।

ଦିଗ୍‌ବଳୟ କୋଳେ ଉଇଁ ପାଟଳ ତପନ

ନିଭିଯାଉ ଯେତେବାର ଅଛି ନିଭିବାର

ଝରିପଡ଼ୁ ଲକ୍ଷ କଳି ନ ହୋଇ ସୁମନ

କିପାଇଁ ଢାଳିବି ବସି ତପ୍ତ ଲୁହଧାର ?

ଚାଲିବାର ପଥେ ସଖୀ ! ଚାଲିଥିବା ଆମେ

କାହିଁକି ସେ କଥା ଆଉ ଭାଳିହେବା ପ୍ରାଣେ !

Image

 

ତୁମଠି ମୁଁ ହଜି ଯାଏ !

 

କୁସୁମର ଗନ୍ଧପରି ତୁମେ ସଖି ! ମୋତେ

ମୁଗ୍‌ଧ କରି ରଖିଅଛ ଧରାରେ ସନ୍ତତେ;

ଅନ୍ତରର ଯେତେ ଯାହା ସମ୍ପଦ ବିପୁଳ

ନ ହୁଏ କୁଣ୍ଠିତ ମୁହିଁ କରିବାକୁ ଠୁଳ–

ତୁମରି ଚରଣ ପ୍ରାନ୍ତେ; ମହାସୃଷ୍ଟି ମମ

ତୁମ ଲାଗି ଲାଗେ ମୋର କାନ୍ତ ମନୋରମ,

ତୁମରି ଭିତରେ କିବା ଆନନ୍ଦର ମାୟା

ସତତ ଆକର୍ଷେ ମୋର, ସବୁ ଦୁଃଖ ଛାୟା

ଅପସରି ଯାଏ କାହିଁ; ମନେହୁଏ ମମ

ବସନ୍ତ ତୁମଠୁ ଯେହ୍ନେ ପାଇଚି ଜନମ,

ଓଠରୁ ପଦ୍ମର ସୃଷ୍ଟି, ନାଶାରୁ ମଳୟ;

ରସନାରୁ ପଞ୍ଚମର ବାଣୀ ମଧୁମୟ

ଦେଇଛ ଧରାରେ ଢାଳି, ହେ ମୋର ସୁନ୍ଦରି ।

ତୁମଠି ମୁଁ ହଜିଯାଏ ନିଜରେ ବିସ୍ମରି !

Image

 

ସେ

 

ଫିଙ୍ଗିଦେବି ସମ୍ରାଟର ମଣି ସିଂହାସନ

ଫିଙ୍ଗିଦେବି ଧନରତ୍ନ ସ୍ୱର୍ଣ୍ଣ ଆଭରଣ

ଫିଙ୍ଗିଦେବି ରାଜଦଣ୍ଡ ଥିଲେ ମୋର କରେ

ମୋ ଆନନ୍ଦ ନାଇଁ ସେଇ ଭୋଗ ଆଡ଼ମ୍ୱରେ ।

ପୃଥିବୀରେ ହୁଏ ମୁହିଁ ଦରିଦ୍ର ଭିକାରୀ

ଅନ୍ନ ଲାଗି ବୁଲେ ନିତି କରପୁଟ ପାରି

ତହିଁରେ ମୋ ସମ୍ମାନର ହେବନାଇଁ ହାନି

ଥିବ ଯେବେ ପାଶେ ମୋର ହୃଦ କୁଞ୍ଜରାଣୀ–

ଷୋଡ଼ଶୀ ଉର୍ବଶୀ ସେଇ ପଲ୍ଲୀବଧୂ ମମ

ବାଜି ଯା ନିଶ୍ୱାସ ବିଶ୍ୱ ଦିଶେ ମନୋରମ;

ତାହାରି ସାନ୍ନିଧ୍ୟ ଲଭି ଦିଶିବି ସୁନ୍ଦର

ତା’ ପରଶେ ବକ୍ଷ ବାଧା ହୋଇବ ଶୀତଳ

ସବୁ ସୁଖ ସମ୍ପଦର ସ୍ୱର୍ଣ୍ଣ ନିକେତନ

ତାହାରି ଗୋଟିକ ବକ୍ଷ ଲାଗେ ପ୍ରିୟତମ !

Image

 

ତୁମେ ଗୋ ରହିଚ !

 

ଆଖି ଆଗେ କିଏ କାହିଁ ଚାଲିଗଲେ ମମ

ପାଇଲି ନାଇଁ ତ କା’ର ଦେଖା ଦରଶନ ।

ତୁମେ ତ ରହିଲ ହୋଇ ଏକାନ୍ତ ନିଜର,

ତୁମେ ତ ରହିଲ ହୋଇ ଆଶାର ନିର୍ଝର,

ତୁମେ ତ ରହିଲ ହୋଇ ସ୍ୱପ୍ନ ଜୀବନର,

ତୁମେ ତ ରହିଲ ହୋଇ ପ୍ରାଣର ଦୋସର ।

ତୁମରେ ଚାହିଁଲେ ସବୁ ଭୁଲିଯିବି ବ୍ୟଥା ।

ତୁମଠୁ ଶୁଣିଲେ ପଦେ ଅମୃତ ବାରତା

ମଣିବି ଜୀବନ ମୋର ଆନନ୍ଦର ଘର,

ସବୁ ତ ଯାଇଚି ତୁମେ ରହିଚ ନିଜର ।

ଯେତେ ଦୂର ଯାଏ ମୁହିଁ, ଯାଏ ତୁମ ଲାଗି,

ତୁମଲାଗି ଶ୍ୟାମ ଦୁର୍ବା ଉଠେ ସିନା ଜାଗି ।

ଏ ମରୁ ଅନ୍ତର ତଳେ ସବୁଜ ସମ୍ଭାରେ !

ତୁମେ ଗୋ ରହିଚ ସବୁ ସମ୍ପଦ ଦେବାରେ ।

Image

 

କି ମଧୁ ସମ୍ପଦେ ଭରିଉଠେ ମୋ ଅନ୍ତର

 

ନଈ ଯେବେ ବହିଯାଏ କଳତାନ କରି,

ଫୁଲ ଯେବେ ମହକାଏ ଖିଳ ବସୁନ୍ଧରୀ

ସୂର୍ଯ୍ୟ ଯେବେ ବୁଡ଼ିଯାଏ ଦିଗନ୍ତ ସେ ପାରେ

ପୃଥିବୀ ସନ୍ତରେ ଯେବେ ଜ୍ୟୋସ୍ନା ପାରାବାରେ

ଧୂସର ଶଇଳଚୂଳେ ସନ୍ଧ୍ୟାତାରା ଉଇଁ

ଥିରି ଥିରି ଯାଏ ଯେବେ ଦିଗ୍‌ବଳୟ ଛୁଇଁ,

ନିଶୀଥ ନୀରବ ନଭେ ମହାନିସ୍ତବ୍‌ଧତା

କାନେ କାନେ କହେ ଯେବେ ଅନନ୍ତ ବାରତା

ପ୍ରାଚୀଚକ୍ରବାଳ ତୀରେ ସିନ୍ଦୂର ଲହରୀ

ଖେଳି ଖେଳି ଯାଏ ଯେବେ, ମଧୁର କାକଳୀ–

ସୋହାଗେ ନଚାଇ ଯେବେ ବିଲ ପଦା ବନ

ରଚଇ ବିମୁଗ୍‌ଧ ପୁରୀ ସ୍ୱପ୍ନ-ନିକେତନ,

ଏ ସବୁ ଭିତରେ ତୁମେ ନିତ୍ୟ ମନେପଡ଼

କି ମଧୁ ସମ୍ପଦେ ଭରିଉଠେ ମୋ ଅନ୍ତର ।

Image

 

ଲଜ୍ଜାବତୀ

 

ଏତେ ଲାଜ କାହିଁପାଇଁ ମୋ ପାଖେ ଛଇଳା

ଚାହଁ ମୋରେ ଭଲ କରି, ହେ ମୋର ମହିଳା !

ମଧୁକଣ୍ଠ ଫେଇ କହ ପଦେ ମଧୁବାଣୀ

ଶାନ୍ତ ହେଉ ତପ୍ତ ଏଇ ବକ୍ଷ, ଦିବାଯାମୀ

ଚାହିଁ ରହ, ସୂର୍ଯ୍ୟମୁଖୀ ଯଥା ସୂର୍ଯ୍ୟେ ଚାହେଁ

ଲାଜ ଲାଜ କରି ରହ କିବା ଅଭିପ୍ରାୟେ ?

ଯୁକ୍ତ ଯେବେ ତୁମ୍ଭେ ସଖି ! ନିତ୍ୟ ମୋର ସହ

ଅନ୍ତରେ ଅନ୍ତରେ ଯେବେ ପୂର୍ଣ୍ଣ ପରିଚୟ

ଏତେ କିମ୍ପା ଲାଜକୁଳୀ ଲତା ପରି ତମେ

ମୋରେକ ଚାହିଁଲେ ଲବେ ଢଳିପଡ଼ କ୍ଷଣେ

ଆସ ଆସ ଚାଳି ତବ ସର୍ବାଙ୍ଗେ ଅଙ୍ଗୁଳି

ସେନେହ ପରଶ ଦିଏ, ବକ୍ଷ ଉଠୁ ପୂରି

ଅମୃତର ଉପାୟନେ, ମନ ତୃପ୍ତ କରି

ବିଳସେ ତୁମରି ବକ୍ଷେ ରୂପସି ସୁନ୍ଦରି !

Image

 

ଭୁଲିବନି ଏ ମଧୁ ବନ୍ଧନ

 

ସେ ସୌମ୍ୟ ଚାହାଣୀ ସେଇ ନୀଳ ନୟନର

ମନେ ମୋ ପଡ଼ଇ ଯେବେ ନିଖିଳ ଅନ୍ତର

ଉଠଇ ଉଲ୍ଲସି କେହ୍ନେ ଶ୍ୟାମ ଦୁର୍ବାପରି !

ଶାରଦ ପ୍ରଭାତ କୋଳେ ! ସୁଭଗା ସୁନ୍ଦରୀ

ରଚିଛି ଯେ ମଧୁତାନ, ନୁହେ ଶୁଖିବାର ।

କେମନ୍ତେ ସେ ଭଲପାଏ ମୋରେ ଅନିବାର,

ଅରପି ସମସ୍ତ ତା’ର; ନାଇଁ ରଖି ବାକି–

ଇଚ୍ଛାହୁଏ ବେଳେ ବେଳେ ନିଭୃତେ ମୁଁ ଡାକି,

ସେ ବରବାଳାରେ ମୋର ପଚାରନ୍ତି ମୁହିଁ ।

କହଲୋ କିଶୋରୀ ପ୍ରିୟା ଦିହ ମୋର ଛୁଇଁ,

ଏ ସେନେହ ଏଇ ସ୍ନିଗ୍‌ଧ ଶୁଭଦୃଷ୍ଟି ଢାଳି

ମୋରେ ନିତି କରୁଥିବ ପ୍ରାଣର ସଙ୍ଖାଳି ?

ଆସୁ ଶତବାଧା ବନ୍ଧ ଘୂର୍ଣ୍ଣବାୟୁ ସମ

ତା’ ଭିତରେ ଭୁଲିବନି ଏ ମଧୁବନ୍ଧନ !

Image

 

ସରସୀଘାଟେ

 

ସେଦିନ ସରସୀ ଘାଟେ ପ୍ରଥମ ଯୌବନେ,

କହିଥିଲ ଯେଉଁ ବାଣୀ ଆଗୋ ବରାନନେ ।

ଅଧରର ସ୍ୱର୍ଣ୍ଣହାସେ ନୟନ କଟାକ୍ଷେ–

ଏ ବକ୍ଷେ ରହିଚି ଲେଖା ସହି ! ଆଜିଯାକେ;

ସେ ଯେ ବାଣୀ ସେ ଚାହାଣୀ ସେଇ ସ୍ୱର୍ଣ୍ଣହାସ

ତ୍ରିଭୁବନେ କାହିଁ ତା’ର ମୋହନ ଉଚ୍ଛ୍ୱାସ ?

ଅନନ୍ତ ଘଟଣା ସ୍ରୋତ ଭିତରେ ସୁନ୍ଦରି !

ଚାଲିଅଛି ମୋ ଦରିଦ୍ର ଜୀବନର ତରୀ !

ସକଳ ଭିତରେ କିନ୍ତୁ ମନେପଡ଼େ ମମ

ସେଦିନର ସେଇ କ୍ଷୁଦ୍ର ମୁହୂର୍ତ୍ତ ପରମ !

‘ତୁମେ କି ମୋହର ନୁହ’ ? ସେ ବାଣୀ ତୁମ୍ଭରି

ପିନ୍ଧାଇଚି ଶିରେ ସ୍ୱର୍ଣ୍ଣ ମୁକୁଟ ମୋହରି !

ଦେଇଛି ଦେବାର ଯାହା ଅନ୍ତରେ ଅନ୍ତର

ତାହା ବଳେ ବିଶ୍ୱେ ମୁହିଁ ଯୁଗେ ଯୁଗେ ବଡ଼ !

Image

 

ଅନୁଭବ

 

କାହିଁକି ମୁଁ ତାରେ ଏଠି ଏତେ ଏତେ ସ୍ମରେ

କାହିଁକି ମୁଁ ତାହା ସ୍ୱପ୍ନ ଦିନରାତି କରେ ?

ସମସ୍ତ ସମୟ ମୋର ଦେଇ ତାହା ପାଇଁ

କି ମଧୁ ସଂପଦ ପାଏ ଜାଣିପାରେ ନାହିଁ !

ମୋ ଦେହ ମନର ପ୍ରତି ସୂକ୍ଷ୍ମ ତନ୍ତୁ ତଳେ

ସେ କିମ୍ପା ନିୟତ ଏତେ ବିଚରଣ କରେ ?

ମୁଁ ତା’ରେ କଅଣ କହେ କି ସମ୍ପଦ ମାଗେ ?

ସେ ମୋରେ କେମନ୍ତେ ଚାହେଁ ମୁଗ୍‍ଧ ଅନୁରାଗେ !

ସେ ମୋରେ ଛାଡ଼େନା କେବେ ଛାଡ଼ିନାଇଁ ପାରେ,

ମୁଁ ମୋର ପ୍ରାଣର ମାୟା ଅବିଶ୍ରାନ୍ତ ଢାଳେ !

ମୁଁ ତାରେ ଯେତିକି ଖୋଜେ ତା’ ତହୁଁ ସେ ବଳି

ଖୋଜି ଖୋଜି ମୋରେ, ପଡ଼େ ମୋ ଅନ୍ତରେ ଢଳି !

ସୂକ୍ଷ୍ମ ଅନୁଭୂତିବୋଳା ପ୍ରାଣର ରାଇଜେ

କି ଅମୃତ ପିଇ ମୁହିଁ ଚାଲିଚି କାହିଁ ଯେ !!

Image

 

ଏଇ ଯେ ଟିକିଏ ହସ !

 

ଏଇ ଯେ ଟିକିଏ ହସ ତୁମ ଓଠ ତଳେ

କି ବିଦ୍ୟୁତ ଦେହେ ମନେ ମୋର ସୃଷ୍ଟି କରେ !

କି ମଧୁ ସଂପଦ ଏଠି ରହିଅଛି ଭରି

ମୋରେ ନିଏ ନିମିଷକେ ଆପଣାର କରି !

କେମନ୍ତେ ସେ ଜାଗିଉଠେ ସ୍ୱର୍ଣ୍ଣ ଓଠେ ତବ

ଘେନି କି ଅମୃତ ଶିରୀ ନିତ୍ୟ ଅଭିନବ !

ଦୁଃଖର ଜୀବନେ ମୋର କେତେ କେତେ ଥର

ଭାଙ୍ଗି ପଡ଼ି ନାଇଁ ମୁହିଁ ବ୍ୟଥିତ କାତର

ଚିରଅବସାଦ ଛାୟା ଦେହେମନେ ଭରି;

ମୋରେ ରଖିଅଛି ଯେହ୍ନେ ଚିରମୁଗ୍‌ଧ କରି ।

ମୃତ ଓ ମୁମୂର୍ଷୁ ମୋର ଏଇ ଦେହେମନେ

ବୋଳିଦିଏ ସଞ୍ଜୀବନୀ, ଅମୃତ ଦୀପନେ

ଠିଆହୁଏ ପୃଥିବୀରେ, ସିଂହ ଶିଶୁ ପରି;

କେତେ ଆଶା ଅଭିଳାଷ ଗୋଟି ଗୋଟି ଧରି !!

Image

 

ଯିବି କେଉଁ ଆଡ଼େ ?

 

କେତେ ପରିଚୟ କେତେ ମଧୁ ଆଳାପନ,

ଆପଣାର କରି କେତେ ଲୋଡ଼ିବାରକ୍ଷଣ,

ଚାହିଁ ବସିବାର କେତେ ଉଷ୍ମଅଶ୍ରୁ ଢାଳି,

ଡାକିବାର ପ୍ରିୟ ବୋଲି ବୁକୁତଳୁ ବାଢ଼ି–

ସୀମାହୀନ ମମତାର ପ୍ରାଣବୋଳା ମାୟା

ମନେ ମୋର ପଡ଼ିଗଲେ ଏ ସକଳ ଯାହା -

ବିଚାରେ ଏ ପୃଥିବୀରୁ ଯିବି କେଉଁଆଡ଼େ ?

କାହିଁକି ବା ଯିବି ? କେଉଁ ସମ୍ପଦ ଆଶାରେ,

କା’ ଓଠ ବଚନ ଏତେ ଲାଗିବ ଲୋ ମିଠା ?

କା’ ଚାହାଣୀ ଫିଟାଇବ ଅମୃତ କବିତା

ଏ ମୋର ମରମ ତଳେ ? କାହା ସ୍ପର୍ଶଟିକ

ଲାଗିବଲୋ ପ୍ରାଣୁବଳି ଅଧିକୁ ଅଧିକ ?

ବୁକୁକାଟି ରକ୍ତ କିଏ ଟୋପା ଟୋପା କରି

ଦେବ ଲୋ ମୁଁ ପଡ଼ିଥିଲେ ଜୀବନ୍ମୃତ ପରି ?

Image

 

ଯେ’ ଦିନ ଆସିଲି ଫେରି !

 

ଯେ’ ଦିନ ଆସିଲି ଫେରି ପ୍ରବାସ ଭୁବନେ

ଏଇ ହତଭାଗିନୀରେ ରଖିଥିବ ମନେ

କହିଥିଲ ତୁମେ ସଖି ! ବାରବାର କରି

ନେତ୍ରପ୍ରାନ୍ତୁ ଅଶ୍ରୁ ପୋଛି ! ମୁଁ ଆଜି ତୁମ୍ଭରି

ସେ’ ପଦିକ ବାଣୀ ଖାଲି ଯାଉଅଛି ଭାଳି

ପାରୁନି ପାରୁନି ସଖି ! ପାରୁନି ସମ୍ଭାଳି

ଅନନ୍ତ ସମୁଦ୍ର ପରି ତୁମରି ଅନ୍ତର

ସ୍ନେହ ମାୟା ମମତାରେ ତରଳ ଚଞ୍ଚଳ ।

ରଖିଚ ମୋ ପାଇଁ ତମେ । ନାଇଁ କରି ତ୍ରୁଟି

ସୀମାହୀନ ବେଦନାରେ ଆଉଟି ପାଉଟି !

ଦୁର୍ବଳ ପାଗଳ କବି ତା’ର ପ୍ରତିଦାନ

କି ଅବା ପାରିଲା ଦେଇ; ଜୀବନ ତମାମ

କିଛିତ ପାରିନି କରି ମୁହିଁ ତୁମ୍ଭ ପାଇଁ

ତୁମେ ମୋରେ ଚିରଦିନ ରହିଚ ଅନାଇଁ !

Image

 

ଦୁଃଖନାଇଁ

 

ଏଇ ମହାପୃଥିବୀର କେଉଁ ଏକ କଣେ

ଫୁଟି ବିକଶୁଚ ତମେ ଅନନ୍ତ ସପନେ !

ମୁଁ ଦରିଦ କବିଜନ ତୁମରେ କିପାଇଁ

ଏତେ ଭଲ ପାଉଅଛି ଜାଣିପାରୁନାଇଁ ।

ତାଳୁରୁ ତଳିପା ଯାଏଁ ସମସ୍ତ ତୁମର

ମତେ ଏତେ ଭଲଲାଗେ । ସମସ୍ତ ମୋହର–

ଦେହମନ ତୁମରେହିଁ କରି ସମର୍ପଣ

ଚାହେଁ ମୁହିଁ ରଚିବାକୁ ଅନନ୍ତ ବନ୍ଧନ–

ତୁମ ତୁଲେ, ଯେହ୍ନେ ଜନ୍ମଜନ୍ମାନ୍ତର ଧରି

ନିଅ ମତେ, ଡାକ ମତେ ଆପଣାର କରି,

ଆନନ୍ଦର ସୀମାହୀନ ପାରାବାରେ ମତେ

ଦିଅହେ ବୁଡ଼ାଇ ଏଇ ଧରାରେ ସନ୍ତତେ;

ସୀମାହୀନ ଆନନ୍ଦର ଏକ ବିନ୍ଦୁ ପିଇ

ଦୁଃଖ ନାଇଁ ଦଣ୍ଡେମାତ୍ର ରହେ ଏଥି ଜୀଇ !

Image

 

ପ୍ରବାସ-ଯାତ୍ରା

 

ହେ ମୋର ତରୁଣୀ ବଧୂ ତୁମରି ଅନ୍ତର

କେମନ୍ତେ ମୋହରି ପାଇଁ ହୁଏ କଲବଲ;

ସବୁ ମୁଁ ପାରୁଚି ଜାଣି ଗୋଟି ଗୋଟି କରି

ଯାଉଚି ପ୍ରବାସ ଭୂଇଁ । କୁଟୀର ଆଦରି

କେମନ୍ତେ ରହିବ ତମେ, ମସ୍ତିଷ୍କ ମୋହର

ପୀଡ଼ାଗ୍ରସ୍ତ, ମନ ପୁଣି ଦୁଃଖ ବିଷାଦର

ହୋଇଚି ଶିକାର ଏକ । ଏ ସକଳ ଜାଣି

ଅନ୍ତରେ କି ଘୋର କଷ୍ଟ ପାଉଚ କଲ୍ୟାଣି !

କେତେ ଯେ ଆଶଙ୍କା ଭୟ କୋମଳ ପରାଣେ

ଜାଗିଉଠେ ବାରବାର, ମୁଁ ସବୁ ଏମାନେ

ନାଇଁ ବୁଝି, ଅନ୍ଧପରି ଚାଲିଯାଏ ଦୂରେ

ତୁମେ ଖାଲି ଚାହିଁରହ ବାସ୍ପ-କଣ୍ଠେ ପୁରେ

ନେତ୍ରୁ ଢାଳି ଅଶ୍ରୁ ବିନ୍ଦୁ । ହାଇରେ ଭୁବନ ।

କେଡ଼େ ମର୍ମନ୍ତୁଦ ନୁହେ ପ୍ରାଣର ଦହନ ।।

Image

 

କାହିଁକି ?

 

କାହିଁକି ଗୋ ଲୁହ ନେତ୍ରେ ଚାହିଁ ରହ ମୋତେ ?

ମୋତେ ହିଁ ଯିବାକୁ ହେବ ବିଶ୍ୱରାଜପଥେ

ସମସ୍ତ ବନ୍ଧନ ବାଧା ନଗଣି ନମାନି,

ସମସ୍ତର ଲାଗି ମୋର ଜୀବନ କଲ୍ୟାଣି !

ହୋଇଚି ନିର୍ମାଣ କେଉଁ ମହାସ୍ରଷ୍ଟା କରେ,

ପୋଛ ଅଶ୍ରୁ ନେତ୍ରପ୍ରାନ୍ତୁ ଚାହଁ ମୋତେ ଥରେ

ମୁହିଁ ମହା ଧରଣୀର ବିରାଟ ଜୀବନ

ହସ ସଖି ! ଆନନ୍ଦରେ ଅଧୀର ଉନ୍ମନ–

ହୋଇ ତମେ, କିମ୍ପା ଦୁଃଖ କର !

ହୁଏ ରୁଗ୍‌ଣ, ରୋଗ ଦୁଃଖ କଷ୍ଟ ନିରନ୍ତର

ଦିନ ଦିନ ଧରି ମୋରେ କରୁ କଲବଲ

ମୋଲାଗି ଟିକିଏ ଯେବେ ଫୁଟିବ ମଙ୍ଗଳ

ଧରଣୀର କେଉଁ ପ୍ରାନ୍ତେ, ଜଣକର ପାଇଁ,

ସାର୍ଥକ ଜୀବନ ମୋର ବିଚାରିବି ନାଇଁ ?

Image

 

ଅନ୍ୱେଷଣ

 

ମୋତେ ସତେ ଖୋଜୁଥିବ ଦରିଦ୍ର କୁଟୀରେ,

ମୋ ସପନ ଦେଖୁଥିବ କୋଟି ଅଶ୍ରୁନୀରେ,

ମୋ ଶୁଭ ମନାସୁଥିବ, ଦିନ ଦିନ ଧରି

ନିଜକୁ ପଚାରୁଥିବ, ନିଜେ କେତେ ଭଳି,

‘‘କି ଭଳି ସେ ରହିଥିବେ ? ଦୂରପଥେ କାହିଁ

ଟିକିଏ ବାରତା ହେଲେ ପାଇଲିତ ନାଇଁ

ଦିହକି ଖରାପ ହେଲା ? ଅବା ଭୁଲିଗଲେ

ଅଥବା ଡେରିରେ ଚିଠି ଦେଉଥିବେ ମୋରେ

ଆଜିକାଲି ପହଞ୍ଚିବ । କିଛି ଜାଣିଲିନି

ରହିଚି ଅନ୍ଧୁଣୀ ପରି ମୁହିଁ ଅଭାଗିନୀ;

ନ ଆସୁ ଉତ୍ତର କିଛି, ସାତ ହୀନିମାନେ

ରହେ ପଛେ । ପ୍ରିୟ ମୋର ଥିବେ ଯେଉଁ ଥାନେ

ଜୀବନରେ ରହିଥାନ୍ତୁ ନିଶ୍ଚିନ୍ତେ ସୋହାଗେ,

ଆଖିବୁଜି ମୁହିଁ ନିଭିଯାଏ ତାଙ୍କ ଆଗେ ।’’

Image

 

ସିଦ୍ଧବାଣୀ

 

ହେ ମୋର ପ୍ରାଣର ପତ୍ନୀ ଅଶ୍ରୁ ଛଳଛଳେ

ପଚାରୁଚ କରପଦ୍ମ ରଖି ମୋର କରେ

ବାଷ୍ପରୁଦ୍ଧ-କଣ୍ଠେ ମୋତେ ‘‘ପ୍ରିୟତମ ମମ

ଦୁଃସ୍ଥ ଓ ଦୁର୍ବଳ ଏତେ ତୁମ ଦେହମନ

ଏଭଳିରେ ଯାଉଅଛ ପ୍ରବାସ ଭୁବନେ

ଦେହ ଯଦି କଣ ହୋଇଯାଏ କେଉଁ କ୍ଷଣେ

କି କରିବି, କେମନ୍ତେ ମୁଁ ପାରିବି ସମ୍ଭାଳି

ଦେହ ବଳାବଳ ହେଲେ ଆସିବ ବାହାରି ।’’

‘‘ମନେରଖ ଆଗୋ ସତୀ ଆଗୋ ପତିବ୍ରତା !

ବିରାଟ ବିଶ୍ୱରେ ନାଇଁ କାହାର କ୍ଷମତା

ରେଣୁମାତ୍ର, ତୁମରି ଏ ସୀମନ୍ତ ସିନ୍ଦୂର

ଜଳେ ଯା’ ଜୀବନ୍ତ ହୋଇ, କରିଦେବ ଜୂର

ପୃଥିବୀର କବି ମୁହିଁ ସିଦ୍ଧ ମୋର ବାଣୀ

ଶ୍ରୀଯୁକ୍ତା ନିୟତ ତୁମ୍ଭେ ଜାଣ ଗୋ କଲ୍ୟାଣି !

Image

 

କେ’ କାହିଁ ରହିଲ !

 

ଶ୍ୟାମଳ ଶୋଲରୀ ତଳେ ଦରିଦ୍ର କୁଟୀରେ

ରହିଲ ଗୋ ପ୍ରିୟତମା କୋଟି ଅଶ୍ରୁନୀରେ–

ମୋରେ ତୁମେ ଭାଳୁଥିବ କେତେ ଦିନରାତି,

ସୀମାହୀନ ବେଦନାରେ ଭରିଥିବ ଛାତି ।

ଝିଅଟି ମୋ ଆଦରର ଦୂରେ ଶାଶୂଘରେ

ଦୁଃଖେ ଯେବେ ଝୁରୁଥିବ ଲୁହ କେବେ ଥରେ

ମୋରେ ଭାଳି କହୁଥିବ ନନା ଟିକେ କାହିଁ

ଦେଖିବାକୁ ମୋରେ ଲବେ ଆସିଲେତ ନାଇଁ ।

ମହେନ୍ଦ୍ର ଶିଖରୀ ତଟେ ନିଃସଙ୍ଗ ଜୀବନେ

ମୁଁ ଏଥି ରହିଲି ଏକା, ଏସବୁ ସ୍ମରଣେ

ନେତ୍ରପ୍ରାନ୍ତୁ ଲୁହ ଢାଳି । ରହିଲ କେ’ କାହିଁ

ସଭିଏ ରହିଚେ ଖାଲି ସଭିଙ୍କି ଯେ ଚାହିଁ

ପ୍ରତିନେତ୍ରୁ ‘ବହିଯାଏ କେତେ ଅଶ୍ରୁଝର

କା’ ଲୁହ କେ ଦେଖିଲାନି ବାଧେ ନିରନ୍ତର ।

Image

 

ନୁହେଁ ନିଭିବାର

 

ପଚାରିଲି ଦିନେ ମୁହିଁ ଖାଲି କୌତୁହଳେ

ଅଧର ଇଷତ ହାସେ, ଧରଣୀ ଉପରେ

ତୁମେ କାର ? ହଠାତ ମୁଁ ପାଇଲି ଉତ୍ତର

ସେ କାନ୍ତ ଲଳିତ ଓଠୁ; ‘‘ମୁହିଁ ଯୁ ତୁମ୍ଭର

ଚିରଦିନ ଚିରକାଳ ।’’ ସେ ଟିକକ ବାଣୀ

ମୋର ଯେବେ ମନେପଡ଼େ କାହିଁକି କେଜାଣି

ଦରିଦ୍ର କୁଟୀରେ ବସି କେତେ କେତେ ଥର

ସ୍ମରିହୁଏ ସେ ବାଣୀର ପ୍ରତ୍ୟେକ ଅକ୍ଷର !

ପ୍ରାଣ ପାଶେ ପ୍ରାଣର ଯେ ପୁଣ୍ୟ ସମର୍ପଣ,

ହୃଦ ସହୁ ହୃଦର ଯେ ମୋହନ ବନ୍ଧନ,

ଏ ତହୁଁ କି ମଧୁଶିରୀ କିବା ଅଛି କାହିଁ

ଯେତେ ସ୍ମରିହୁଏ ସେତେ ମିଠାଯାଏ ପାଇ ।

ତୁମେ ମୁହିଁ ମରି ହେବା ପାଉଁଶ ଅଙ୍ଗାର

ଏ ଶିରୀ ଟିକକ କିନ୍ତୁ ନୁହେ ନିଭିବାର !!

Image

 

ଦୂର ଅତୀତର ଗୋଟିଏ ସ୍ମୃତି

 

ସେଇ ଗଛ ଛାଇ ତଳେ ସେ ବଣ ପାହାଡ଼େ

ବୁଲିଚାଲି ଆାସେ ଯେବେ କେବେ ବାରେବାରେ

ଠିଆହୋଇ ନିମିଷକେ ସେ କୁଞ୍ଜ କାନନେ

ତୁମ କଥାଟିକ ସ୍ମରିହୁଏ ଏ ମରମେ ।

କେଉଁଠି ରହିଲ ତମେ ମୋ ପରାଣ ସାଥୀ

ମୋ ଛାତିରେ ମିଶିଲାନି ଆଉ ତୁମ ଛାତି

ତୁମ ଓଠୁ ପଦେ ବାଣୀ ପ୍ରାଣ ବିମୋହନ,

ଶୁଣିବା ଜୀବନେ ମୋର ହୋଲାକ ସପନ ।

ଜୀବନ ସଂଗ୍ରାମେ ଯେବେ ନତଜାନୁ ହୋଇ

ପଡ଼ିଥିବି ନେତ୍ରୁ ଲୁହ ଯାଉଥିବ ବୋହି

କନକ ଅଙ୍ଗୁଳି ଚାଳି ନେତ୍ର ନୀରଧାରା

କିଏ ପୋଛିଦେବ ବୁଝି ଜୀବନର ଜାଳା ।

ସାଗାର ଉଚ୍ଛ୍ୱାସ ପରି ଅନନ୍ତ ସେନେହେ

କିଏ ଗୋଳିହୋଇଯିବ ମୋର ମନେଦେହେ ?

Image

 

ଛାଡ଼ିହୁଏ ?

 

ସମସ୍ତ ଅପେକ୍ଷା ପରେ ଆଉ କିମ୍ପା ଚାହେଁ ?

ଆଉ କିମ୍ପା ତାହାପଛେ ଏତେବାର ଧାଏଁ ?

ଆଉ କିମ୍ପା ଖୋଜିବୁଲେ ଥର ଥର କରି ?

ଆଉ କିମ୍ପା ଏତେ ମାୟା ଉଠଇ ସଞ୍ଚରି

ତାହାପାଇଁ ? ମନୁ ସବୁ ପୋଛି ଏକବାର

ଚାଲିବି ଆପଣା ବାଟେ ନୂତନ ସଂସାର

ସୃଜିବି ନୂତନ କରି । କିନ୍ତୁ କାହିଁ ପାଇଁ

ଆଗକୁ ପଡ଼ୁନି ପାଦ, ଯେହ୍ନେ ତାହାପାଇଁ

ରହିଚି ମୋ ବୁକୁତଳ ସମ୍ପଦ ସକଳ !

ତାରେ ନପାଇଲେ ଯେହ୍ନେ ସମସ୍ତ ବିଫଳ !

ମୋ ହୃଦୟ ପ୍ରତିତନ୍ତ୍ରୀ କରିଚି ଆଚ୍ଛନ୍ନ

ଏ ମାଟି ଉପରେ ଯେହ୍ନେ ତାର ଦେହମନ ।

ଏତେ ଆପଣାର କରି ଦେଖିବାର ପରେ

ଛାଡ଼ିଲେ କି ଛାଡ଼ିହୁଏ ଶତ ଜନ୍ମାନ୍ତରେ ।

Image

 

ପରାଜିତର ଗୈାରବ

 

ଯେଦିନ ପ୍ରଥମ କରି ପୃଥିବୀ ଉପରେ,

ପ୍ରିୟା ବୋଲି ଡାକିଲଇଁ ସଖି । ମୁଁ ତୁମ୍ଭରେ

ପ୍ରଥମ ଚୁମ୍ବନ ଆଙ୍କି ସ୍ୱର୍ଣ୍ଣ-ଗଣ୍ଡେ ତବ,

କହିଲଇଁ ତୁମତହୁଁ ବଳି କେ ଗୌରବ–

ମୋର ଅଛି ସୃଷ୍ଟି ତଳେ ? ହତଭାଗା କବି,

ତୁମରେହିଁ ବଡ଼କରି ଯାଏ ଅନୁଭବି ।

କହିଥିଲ ପ୍ରିୟା ମୋର ! ଆଜି ମନେପଡ଼େ,

‘‘ମୁଁ ଯଦି ବିରାଟ ଏଡ଼େ ତୁମ ନୟନରେ,

ମୁଁ ଯଦି ସୁନ୍ଦର ଏଡ଼େ ତୁମେ ଅନୁଭବ,

ମୁଁ ଯଦି ତୁମରି ବକ୍ଷ ଏକାନ୍ତ ଗୌରବ,

ମୁଁ ଯଦି ତୁମରି ପ୍ରାଣ ସର୍ବସ୍ୱ ହେ ପ୍ରିୟ,

ତୁମେ କିମ୍ପା ହତଭାଗା ? ମୋତେ କହିଦିଅ ।’’

ମାନିଥିଲି ପରାଜୟ ଗଉରବ ଭରେ,

କହିଥିଲି ‘ମୁଁ ବିରାଟ ତୁମ ସ୍ପର୍ଶ ବଳେ ।’

Image

 

ମାଟିର ମାୟା

 

ଯେ ଦିନ ବରଜି ଏଇ ପ୍ରିୟ ବସୁନ୍ଧରୀ

କେବଣ ଶୁନ୍ୟରେ ଦିନେ ଯିବି ମୁଁ ସଞ୍ଚରି,

ପ୍ରିୟଜନ ପରିଜନ ଆତ୍ମୀୟ ସୋଦର

କେ କାହିଁ ରହିବେ ଦୂରେ । ପୃଥିବୀ ଆଦର

ପାଇ ମୁଁ ପାରିବିନାଇଁ । ମୋର ପଥ ଘାଟ–

ପରିଚିତ ବନ ବିଲ ନଦୀ ତୋଟା ପାଟ,

ଦିଗ୍‌ବଳୟ ତଟ ଶ୍ୟାମଘନ ଅରଣ୍ୟାନୀ,

ଶରତ, ବସନ୍ତ, ଗ୍ରୀଷ୍ମ ସନ୍ଧ୍ୟା ଦିବା ଯାମୀ,

ସବୁତ ରହିବ ଦୂରେ; ସବୁ ଛିନ୍ନ କରି

ଏ ମାଟିରୁ ବିଦାହେବି, ଅଶ୍ରୁ ଉଠେ ଭରି

ନେତ୍ରଯୁଗେ କାହିଁ ପାଇଁ ? କାହିଁ ପାଇଁ ମନ

ଏ ମାଟି ସହିତ ଲୋଡ଼େ ଶାଶ୍ୱତ ବନ୍ଧନ ?

ଯେ ମୋର ଯେବଣ ଦେଶେ ନେଇଯାଉ କାହିଁ

ଏ ମାଟିର ମୁହିଁ ଏଯେ ମାଟି ମୋହ ପାଇଁ ।।

Image